କେନ୍ଦ୍ରାପଡା: ଟେଣ୍ଡର ଫିକ୍ସିଂ ନେଇ ପୁର୍ବରୁ ଇଟିଭି ଭାରତ ଖୁଲାସା ହୋଇଥିବା ବେଳେ, ଏବେ ଗ୍ରାମାଞ୍ଚଳ ଶୌଚାଳୟ ନିର୍ମାଣରେ ହୋଇଥିବା ଅନିୟମିତତା ଘଟଣା ସାମ୍ନାକୁ ଆସିଛି ।
ଠିକାଦାର ସାଜିଛନ୍ତି ଗେଲ୍ହାପୁଅ । ଦୀର୍ଘ ଦୁଇବର୍ଷ ତଳେ ସ୍ଵଛ ଭାରତ ଯୋଜନାରେ ଗ୍ରାମାଞ୍ଚଳରେ ଠିକାଦାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିତାଧିକାରୀଙ୍କ ଶୌଚାଳୟ ଏବେ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଆୟବା ପଞ୍ଚାୟତର ମଧୁରୁକୂଳ ଗାଁରେ। ଏହି ଗ୍ରାମର ମୋଟ ୪୦ଜଣ ହିତାଧିକାରୀଙ୍କ ଶୌଚାଳୟ ନିର୍ମାଣ ଦାୟିତ୍ବ ସ୍ଥାନୀୟ ଆୟବା ଗ୍ରାମର ନଟବର ମଲ୍ଲିକଙ୍କୁ ଜିଲ୍ଲା ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ଵାରା ପ୍ରଦାନ କରାଯାଇଥିଲା । ମାତ୍ର ଏଯାବତ ଏମାନଙ୍କ ଶୌଚାଳୟ ନିର୍ମାଣ ସମ୍ପନ୍ନ କରିନାହାନ୍ତି ସମ୍ପୃକ୍ତ ଠିକାଦାର ।
ମାତ୍ର ୪୦୦ଇଟା, ଦୁଇବସ୍ତା ସିମେଣ୍ଟ ଏବଂ ୩ଫୁଟରେ ଦେଢ଼ ଫୁଟ ଦସ୍ତାରେ ଶୌଚାଳୟ ନିର୍ମାଣ କରିଥିବା ବେଳେ ଟ୍ଵିନ ପିଟ(ଦୁଇଟି ଟାଙ୍କି) ସ୍ଥାନରେ ମାତ୍ର ଗୋଟିଏ ଟାଙ୍କି ପାଇଁ ତିନୋଟି ନନ୍ଦ ପକାଇ କାମ ଶେଷ କରିଦେଇଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ। ଏହି ଗାଁଟି କୁମ୍ଭୀର ପୂର୍ଣ୍ଣ ନଦୀକୂଳରେ ଅବସ୍ଥିତ ହୋଇଥିବା ବେଳେ ନଦୀକୁ ଶୌଚ ହେବାକୁ ଯିବା ବିପଦକୁ ଆମନ୍ତ୍ରଣ କରିବା ସଦୃଶ। ହିତାଧିକାରୀଙ୍କ ଫଟୋ ଉଠାଇ ଠିକାଦାର ଟଙ୍କା ଉଠାଇ ନେଇଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଠିକାଦାର ତିନୋଟି ନନ୍ଦ ବିଶିଷ୍ଟ ଟାଙ୍କି ନିର୍ମାଣ କରିଥିବା ବେଳେ, କୌଣସି ଶୌଚାଳୟରେ କବାଟ ଲଗା ଯାଇନଥିବା ଦେଖାଯାଇଛି । ଶୌଚାଳୟ ସଂପୂର୍ଣ୍ଣ ନହୋଇଥିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇ ପଡିରହିଛି । ଫଳରେ ଏକାଧିକ ପରିବାର ପୂର୍ବପରି ବାହାରେ ଶୌଚ ଯିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ କିଛି ପରିବାର ନିଜର ଯୋଗାଡ଼ରେ ବାଉଁଶ ଓ ଟିଣ କାଟି କବାଟର ବ୍ୟବସ୍ଥା କରିବାକୁ ପ୍ରୟାସ କରିଛନ୍ତି । ଗ୍ରାମବାସୀଙ୍କ ଏହି ଅସୁବିଧା ସମ୍ବନ୍ଧରେ ଆମେ ନିର୍ବାହୀ ଯନ୍ତ୍ରୀଙ୍କ ମତାମତ ଲୋଡିଥିବା ବେଳେ ସେ ଏନେଇ ମୁହଁ ଖୋଲିନାହାନ୍ତି।
ସରକାରୀ ଦସ୍ତାବିଜରେ କେବଳ ଉପକୃତ ହିତାଧିକାରୀଙ୍କ ନାମ ଲେଖାଯିବା ପରେ କାମ ଶେଷ । ପ୍ରତିଦିନ ଲାଞ୍ଚୁଆ ଅଫିସର ଦଣ୍ଡିତ ହେବାର ଖବର ସାମ୍ନାକୁ ଆସୁଥିଲେ ମଧ୍ୟ କାହାରି ଚେତା ପଶୁନି । ଗୋଟିଏ ପଟେ ଠିକାଦାର ଟଙ୍କା ନେଇ ଛୁ ମାରିଥିବା ବେଳେ ବିଭାଗ ଆଗକୁ କଣ ପଦକ୍ଷେପ ନେଉଛି ତାକୁ ସମସ୍ତଙ୍କ ଅପେକ୍ଷା ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ