କେନ୍ଦ୍ରାପଡ଼ା: ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି 5 ଜଣଙ୍କ ମୃତ୍ୟୁ ଘଟିଛି । ଚାଷ କରିବାକୁ ଯାଇଥିବା ସମୟରେ ବଜ୍ରପାତ ଘଟି ମହାକାଳପଡା ବ୍ଳକର 2 ଜଣ, ଗରଦପୁର ବ୍ଲକର 2 ଜଣ ଓ ମାର୍ଶାଘାଇ ବ୍ଲକର ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ମହାକାଳପଡ଼ାରୁ ଜଣେ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ବଜ୍ରପାତରେ ମହାକାଳପଡ଼ା ବ୍ଲକର କରଞ୍ଜ ଗ୍ରାମର ରଙ୍ଗାଧର ବେହେରା ଓ ପପୁନି ଦାସ, ମାର୍ଶାଘାଇ ବ୍ଲକ ନରଣପୁର ଗ୍ରାମର ବିଜୟ ନାୟକଙ୍କ ସହ ଗରଦପୁର ବ୍ଲକ ନରିଲୋ ଗ୍ରାମର ଦିଲ୍ଲୀପ ମଲ୍ଲିକ ଓ ଗୋତ୍ରୀବିଲ ଗ୍ରାମର ଅଜୟ ନାୟକଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଚାଷ କାମ କରୁଥିବା ବେଳେ ଏହି ବଜ୍ରପାତ ହୋଇଥିଲା ।
ଆଜି ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିଥିଲା । ବିଲକୁ ଧାନ ତଳି ରୋପଣ ପାଇଁ ଯାଇଥିବା ବେଳେ ହଠାତ ବର୍ଷା ଓ ବଜ୍ରପାତ ଯୋଗୁଁ ପାଞ୍ଚଜଣ ଚାଷୀଙ୍କ ମୃତ୍ୟୁ ଘଟିବା ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଅପରପକ୍ଷରେ ମହାକାଳପଡ଼ା ବ୍ଲକ ଓସ୍ତର ଗ୍ରାମର ତଅପୋଇ ସ୍ବାଇଁ ବିଲରୁ ଫେରୁଥିବା ବେଳେ ବଜ୍ରପାତରେ ଗୁରୁତର ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ