କେନ୍ଦ୍ରାପଡା: ଆଫଗାନିସ୍ତାନରେ ତାଲିବାନର ତାଣ୍ଡବ ନେଇ ସ୍ତବ୍ଧ ସମଗ୍ର ବିଶ୍ବ । ବର୍ତ୍ତମାନ ବିଶ୍ବ ସମୁଦାୟର ନଜର ଆଫଗାନିସ୍ତାନ ଉପରେ । ତାଲିବାନୀ ଶାସନର ଭୟବହତା ମଧ୍ୟରେ ନିଜ ନିଜ ଦେଶକୁ ଫେରି ଆସୁଛନ୍ତି ପ୍ରବାସୀ । ସେଠାକାର ଲୋକେ ମଧ୍ୟ ଜୀବନ ବିକାଳରେ ଅନ୍ୟ ଦେଶରେ ଆଶ୍ରୟ ଖୋଜୁଛନ୍ତି । ଯାହାର ବିକଳ ଚିତ୍ର ସାରା ବିଶ୍ବ ଦେଖୁଛି । ତେବେ ଆଫଗାନିସ୍ତାନରୁ କିଛି ଦିନ ତଳେ ଭାରତ ଫେରିଥିବା ଜଣେ ଯୁବକ ବର୍ଣ୍ଣନା କରିଛନ୍ତି ସେହି ଭୟାବହତାର ଚିତ୍ର । ଏହି ଯୁବକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା କୁସୁନପୁର ଗାଁର ମନୋରଞ୍ଜନ ସାହୁ ।
ଗତ ମେ ମାସରେ ମନୋରଞ୍ଜନ ଆଫଗାନିସ୍ତାନରୁ ଫେରିଛନ୍ତି । ସେ ଦୀର୍ଘ ୫ ବର୍ଷ ହେବ ସେଠାରେ ଆର୍ମି ବେସରେ ରହି କାର୍ଯ୍ୟ କରୁଥିଲେ । ହେଲେ ଆମେରିକା ସେଠାରୁ ନିଜ ଆର୍ମି ବେସ୍ ହଟାଇବା ପରେ ମନୋରଞ୍ଜନ ମଧ୍ୟ ନିଜ ମାଟିକୁ ଫେରି ଆସିଥିଲେ । ସେଠାକାର ରହଣି ଭିତରେ ନିଜର ଭୟାନକ ଅନୁଭୂତିକୁ ବଖାଣିଛନ୍ତି ଯୁବକ । ତାଙ୍କ କହିବା ଅନୁସାରେ ଆଗରୁ ମଧ୍ୟ ଆଫଗାନିସ୍ତାନରେ ତାଲିବାନ ବର୍ବରତା ଲାଗି ରହିଥିଲା । ତାଲିବାନୀ ଅନେକ ସମୟରେ ରକେଟ ମାଡ କରୁଥିଲେ । ବିଶେଷକରି ଆଫଗାନ ମହିଳା ଅନେକ ଦୁର୍ଦ୍ଦଶା ଭୋଗୁଥିଲେ । ସେମାନେ କୌଣସି କ୍ଷେତ୍ରରେ ସ୍ବାଧୀନତା ପାଉନଥିଲେ ବୋଲି କହିଛନ୍ତି ମନୋରଞ୍ଜନ ।
ଏହି ଯୁବକ ଜଣକ ନିଜ ଘରକୁ ଫେରି ଆସି ଏବେ ପରିବାର ସହ ଦିନ କାଟୁଛନ୍ତି । ତେବେ ଅନେକ ସମୟରେ ସେଠାକାର ଅବସ୍ଥା ମନେ ପଡିଲେ ତାଙ୍କ ଭିତରେ ଭୟ ସଂଚାରିତ ହୁଏ ବୋଲି ସେ କହିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ