କେନ୍ଦ୍ରାପଡ଼ା: ପୋଲିସ କେବଳ ଆଇନ ଶୃଙ୍ଖଳା ପରିସ୍ଥିତିରେ କଠୋର ନୁହେଁ । ପୋଲିସର ମଧ୍ୟ ହୃଦୟ ଅଛି । ଆଉ ଏଭଳି ପ୍ରମାଣ ଦେଇଛି କେନ୍ଦ୍ରାପଡ଼ା ପୋଲିସ । ସଦରଥାନା ଅନ୍ତର୍ଗତ ମାଗୁରଗଣ୍ଡପାଟଣା ଗାଁରେ ମୁଣ୍ଡା ବସ୍ତିରେ ରହୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ କାମ ଧନ୍ଦା ନପାଇ ଭୋକ ଉପାସରେ ରହୁଥିବା ଖବର ପାଇ ଶନିବାର ସଦର ଆଇଆଇସି ପ୍ରମୋଦ ମଲ୍ଲିକଙ୍କ ସମେତ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଏସପି ଓ ଅନ୍ୟମାନେ ପହଞ୍ଚି ଗାଁ ଲୋକମାନଙ୍କୁ ସଚେତନ କରାଇବା ସହ ଚାଉଳ, ଡାଲି, ଚୁଡା, ଗୁଡ଼ ଇତ୍ୟାଦି ବାଣ୍ଟିଛନ୍ତି ।
ସେହିପରି ଗାଁ ଲୋକେ କାମ ଧନ୍ଦା ନପାଇ ରହୁଥିଲେ ମଧ୍ୟ ନିଜନିଜ ମଧ୍ୟରେ ସଚେତନତା ସୃଷ୍ଟି କରି ଏମାନେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଅସମୟରେ ପୋଲିସର ଏଭଳି ସହାୟତା ପାଇଁ ଜନସାଧାରଣ ଭୂୟସୀ ପ୍ରଶଂସା କରୁଥିବା ବେଳେ ପୋଲିସର ମଧ୍ୟ ଗୋଟିଏ ସରଳ ହୃଦୟ ରହିଛି ବୋଲି ପ୍ରଚାରିତ ହେଉଛି । କାମଧନ୍ଦା ନପାଇ ଓ ସରକାରୀ ଭାବେ ମିଳିଥିବା ରାସନ ଓ ଟଙ୍କା ଶେଷ ହୋଇଯିବାରୁ ଚିନ୍ତାରେ ଗ୍ରାମବାସୀ ।
ପରିବାର ବଡ଼ ହୋଇଥିବାରୁ ଖାଇବା ଯାହା ମିଳୁଛି ତାହା ଯଥେଷ୍ଟ ହୋଇନଥିବାରୁ ମୁଣ୍ଡ ଉପରେ ଚଡକ ପଡୁଛି ଏଠାକାର ଅଧିବାସୀମାନଙ୍କର । ଖାଦ୍ୟ ପାଇଁ ଦୈନିକ ମଜୁରୀ ଉପରେ ନିର୍ଭର କରୁଥିବା ଏଠିକାର ଶ୍ରମିକ ଶ୍ରେଣୀୟ ଲୋକେ ଲକଡାଉନ ପାଇଁ ଖାଇବାକୁ ନପାଇ ଦୁଃଖରେ କାଳାତିପାତ କରୁଥିବା ବେଳେ ଏଭଳି ସମୟରେ ପୋଲିସର ସହାୟତା ଏମାନଙ୍କ ପାଇଁ ଈଶ୍ବରଙ୍କ ଆଶୀର୍ବାଦ ସାଜିଛି । ଗତକାଲି (ଶୁକ୍ରବାର) ଡିଜିପି ପୋଲିସ ବାହିନୀକୁ ଜନସାଧାରଣମାନଙ୍କୁ ସାହାଯ୍ୟ ସହଯୋଗ ଆହ୍ବାନ ଦେବାପରେ ଆଜିର ଏହି ଚିତ୍ର ପୋଲିସମାନଙ୍କ ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ବଢ଼ାଉଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ