କେନ୍ଦ୍ରାପଡା: ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଅବିଭକ୍ତ କଟକ ଜିଲ୍ଲାରୁ ଅଲଗା ହୋଇଥିଲା କେନ୍ଦ୍ରପଡା । କେନ୍ଦ୍ରାପଡାକୁ ମିଶାଇ ରାଜ୍ୟରେ ଜିଲ୍ଲାସଂଖ୍ୟା ୧୩ରୁ ବଢି ୩୦ ହୋଇଥିଲା । ନୂତନ ଜିଲ୍ଲା ଘୋଷଣା ହେବାର ଦିନକ ପରେ ଅର୍ଥାତ୍ ଏପ୍ରିଲ ୩ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ଶିଳାନ୍ୟାସ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । କେନ୍ଦ୍ରାପଡ଼ା ଜିଲ୍ଲା ଗଠନ ପାଇଁ ବହୁ ବ୍ୟକ୍ତିବିଶେଷ ଆନ୍ଦୋଳନ ଓ କାରାବରଣ କରିଥିଲେ । ସମସ୍ତଙ୍କର ଉଦ୍ଦେଶ୍ୟ ଥିଲା ନୂତନ ଜିଲ୍ଲା ଗଠନ ହେଲେ ଆବଶ୍ୟକୀୟ ମୌଳିକ ସୁବିଧା ସୁଯୋଗ ସହ କେନ୍ଦ୍ରାପଡ଼ାର ଜନ ସାଧାରଣଙ୍କୁ ଆଉ କଟକ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଇତିମଧ୍ୟରେ ଜିଲ୍ଲା ଗଠନକୁ ୨୯ ବର୍ଷ ପୁରି ୩୦ ବର୍ଷ ହୋଇଥିଲେ ସୁଦ୍ଧା କେବଳ ରାସ୍ତାଘାଟକୁ ଛାଡିଦେଲେ ଅନ୍ୟ କୌଣସି କାର୍ଯ୍ୟରେ ଜିଲ୍ଲାର ଆଖିଦୃଶିଆ ବିକାଶ ହୋଇନଥିବା ପରିଲକ୍ଷିତ ହୋଇଛି ।
କେନ୍ଦ୍ରାପଡା ଜିଲ୍ଲାରେ ମୋଟ ଲୋକସଂଖ୍ୟା ୧୭ଲକ୍ଷରୁ ଉର୍ଦ୍ଧ୍ବ । ହେଲେ ସେଥିମଧ୍ୟରୁ ପ୍ରାୟ ୧୦ଲକ୍ଷ ଲୋକ ବାହାର ଜିଲ୍ଲା, ରାଜ୍ୟ ଓ ଦେଶରେ ଦାଦନ ଖଟୁଛନ୍ତି । ଯାହା କୋଭିଡ ସମୟରେ ପ୍ରବାସୀଙ୍କ ସଂଖ୍ୟା ବୟାନ କରିଛି । ଜିଲ୍ଲାରେ ଚାଷଜମିକୁ ଆଜି ମଧ୍ୟ ଜଳ ପହଞ୍ଚିବା ସ୍ୱପ୍ନ ହୋଇଛି । ଏକଦା ନଳିତା ଚାଷ ପାଇଁ ଦେଶ ବିଦେଶରେ ନାଁ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆଜି ଦୀପାବଳିରେ ପୟା ଶ୍ରାଦ୍ଧ ପାଇଁ ପଡୋଶୀ ଜିଲ୍ଲାରୁ କାଉଁରିଆ ଆମଦାନୀ କରୁଛି । ଏହାର କାରଣ କୃଷି ଓ କୃଷି କ୍ଷେତ୍ର ପ୍ରତି ପ୍ରଶାସନ ଓ ପ୍ରଶାସକଙ୍କ ଉଦାସୀନତା ମନୋଭାବ । କୃଷି ଓ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାରେ ମୃତ୍ତିକା ପରୀକ୍ଷାଗାର ରହିଥିବାବେଳେ ଆବଶ୍ୟକୀୟ କର୍ମଚାରୀ ଅଭାବ ଚାଷୀର ଅଣ୍ଟାକୁ ଭାଙ୍ଗିଦେଇଛି ।
ସେହିପରି ଶିକ୍ଷା, ପର୍ଯ୍ୟଟନ ଓ ଆର୍ଥିକ ଉନ୍ନତି କ୍ଷେତ୍ରରେ ଜିଲ୍ଲା ତଳ ଆଡୁ ପ୍ରଥମ ବୋଲି କୁହାଯାଇପାରେ । ଜିଲ୍ଲାରେ ସାକ୍ଷରତା ହାର ରାଜ୍ୟରେ ପ୍ରଥମ ୧୦ଟି ଜିଲ୍ଲା ମଧ୍ୟରେ ରହିଥିବା ବେଳେ ସରକାରୀ ବୈମାତୃକ ମନୋଭାବ କାରଣ ହେଉ ଅବା ନେତାମନ୍ତ୍ରୀଙ୍କ ଚାପରେ ଛନ୍ଦି ହୋଇ ଜିଲ୍ଲାର ଅବସ୍ଥା ଆଜି ବେହାଲ । କେନ୍ଦ୍ରାପଡା ଜିଲ୍ଲାର ପ୍ରାୟ ୫୦ ପ୍ରତିଶତ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ପ୍ରାଥମିକ ଶିକ୍ଷା ଅବହେଳିତ । ଶିକ୍ଷକ ଅଭାବ ଉଭୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇଁ ଏବେ ସବୁଠୁ ବଡ଼ ସମସ୍ୟା ହୋଇଛି । ଏହାରି ଭିତରେ ପୁଣି ଜିଲ୍ଲାର ଏକମାତ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ ନ କରିବା ଚିନ୍ତାଜନକ ବିଷୟ ପାଲଟିଛି । ଏଥିସହ ମେଡିକାଲ କଲେଜ ପାଇଁ ବାରମ୍ବାର ଦାବି ହେଉଥିଲେ କିଛି ସୁଫଳ ମିଳୁନି । ସାଧାରଣ ରୋଗର ଚିକିତ୍ସା ପାଇଁ କଟକ ଯିବାକୁ ପଡୁଛି ଲୋକଙ୍କୁ । ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି କେନ୍ଦ୍ରାପଡ଼ା ଜିଲ୍ଲାରେ ନଥିବା ଦର୍ଶାଯାଇଛି । ଏପରିକି ଜଣେ ଭଲ ଡାକ୍ତର ଜିଲ୍ଲାବାସୀଙ୍କ ଭାଗ୍ୟରେ ନ ଜୁଟିବା ଜିଲ୍ଲାବାସୀଙ୍କ ପ୍ରତି ସରକାରୀ ପ୍ରତାରଣାକୁ ସିଦ୍ଧ କରୁଛି ।
ସେହିପରି ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ସମେତ ୧୩ଟି ସ୍ଥାନକୁ କେବଳ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଇ ଚୁପ ବସିଛନ୍ତି ଉଭୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ । ଭିତ୍ତିଭୂମି ଅଭାବ କଥା କହି ସମସ୍ତେ ନିଜ ନିଜର ଦାୟିତ୍ୱ ଶେଷ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଅସହାୟ ହୋଇପଡିଛି କେନ୍ଦ୍ରାପଡ଼ା । ରାଜ୍ୟ, ଦେଶ ତଥା ବିଦେଶରେ ବଉଳା କୁମ୍ଭୀର ଓ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ କେନ୍ଦ୍ର ଭାବେ ଭିତରକନିକା ଓ ଗହୀରମଥା ଖୁବ୍ ପ୍ରସିଦ୍ଧ । ଏଠାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବଢିଛି ଏବଂ ଅଲିଭ ରିଡଲେଙ୍କ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇଛି । ଭିତରକନିକା ଓ ଗହୀରମଥା ପର୍ଯ୍ୟଟନ ମାନଚିତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ବେଳେ ଏହାକୁ ନେଇ ଗର୍ବ କରିବା ବ୍ୟତୀତ ବିକାଶର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ କେନ୍ଦ୍ରାପଡ଼ା ଜିଲ୍ଲାରେ ।
ଅନୁରୂପ ଭାବେ ଜିଲ୍ଲା ଗଠନର ୨୮ ବର୍ଷ ପରେ ଜିଲ୍ଲାବାସୀ ରେଳ ଦେଖିବାର ସୌଭାଗ୍ୟ ପ୍ରାପ୍ତି ହୋଇଥିଲେ ହେଁ 'ଗଛରେ ବେଲ ପାଚିଲେ କାଉର କି ଲାଭ' ଉକ୍ତିକୁ ନେଇ ଅନେକ ସମୟରେ ହାସ୍ୟାସ୍ପଦ ହେଉଥିବା ଦେଖାଯାଇଛି । କାରଣ ଏହି ରେଳଧାରଣାଟି କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ସର୍ବାଧିକ କିଲୋମିଟର ଯାଇଥିବା ବେଳେ ପ୍ୟାସେଞ୍ଜର ରେଳ ଦେଖିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଛି । ଅନ୍ୟପଟେ ଜିଲ୍ଲାର କିଛି କ୍ଷୁଦ୍ର ବ୍ୟବସାୟୀ ରେଳପଥ ଦେଇ ଜିଲ୍ଲାରୁ ସାମଗ୍ରୀ ରପ୍ତାନି ଓ ଜିଲ୍ଲା ବାହାରୁ ସାମଗ୍ରୀ ଆମଦାନୀ ପାଇଁ ସୁଯୋଗ ପାଇବା ମଧ୍ୟ ଦିବାସ୍ବପ୍ନ ପାଲଟିଛି । କାରଣ ଏହି ରେଳପଥ ମଧ୍ୟଦେଇ ଯାଜପୁରରୁ ଲୁହାପଥର ଜଗତସିଂହପୁରକୁ ରପ୍ତାନୀ ହେଉଥିବା ବେଳେ ଜଗତସିଂହପୁରରୁ କୋଇଲା ଯାଜପୁରକୁ ରପ୍ତାନି ହେଉଥିବା ଦେଖାଯାଇଛି । ସେହିପରି ଚଣ୍ଡିଖୋଲ-ପାରାଦ୍ବୀପ ଜାତୀୟ ରାଜପଥ ମଧ୍ୟ ଦେଇ ଦୈନିକ ହଜାର ହଜାର ଟ୍ରକ ଯାତାୟତ କରୁଥିବା ବେଳେ ସମସ୍ତ ସୁବିଧା ସୁଯୋଗ ପଡୋଶୀ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ଅଧିବାସୀ ପାଉଛନ୍ତି । ହେଲେ କେନ୍ଦ୍ରାପଡ଼ାବାସୀଙ୍କ ଭାଗ୍ୟରେ କେବଳ ଶୂନ୍ୟ ହିଁ ପଡିବା ସାର ହୋଇଛି ।
ଏକଦା ରାଜ୍ୟ ରାଜନୀତିରେ ନିଜର ପତିଆରା ଜାହିର କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆଜି ମୁରବୀଶୂନ୍ୟ ହୋଇପଡିଛି । ଏହି ମାଟିରୁ ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ ନିର୍ବାଚିତ ହୋଇଥିବା ବେଳେ ଏବେ ରାଜନୈତିକ ଅଳିନ୍ଦରେ ଯୁଝି ହେଉଛନ୍ତି ରାଜନୈତିକ ଦଳର ନେତା । ଜିଲ୍ଲା ଗଠନକୁ ୩୦ ବର୍ଷ ହୋଇଥିବା ବେଳେ ଏହି ଅବହେଳିତ ଜିଲ୍ଲାକୁ ଆହୁରି ଅପମାନିତ କରାଇବା ପାଇଁ ବିଗତ ୩୦ବର୍ଷ ମଧ୍ୟରେ ଜିଲ୍ଲାରେ ବଦଳି ହୋଇଛନ୍ତି ୪୭ ଜଣ ଜିଲ୍ଲାପାଳ । ଯାହାକି ଜିଲ୍ଲାପ୍ରତି ସରକାରଙ୍କ ଏକ ବଡ଼ ଅନୁଦାନ ବୋଲି କହିଛନ୍ତି ବୁଦ୍ଧିଜୀବୀ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ