କେନ୍ଦ୍ରାପଡା: ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ଦିବ୍ୟାଙ୍ଗ ମାନେ ସମାଜରେ ସସମ୍ମାନେ ବଞ୍ଚିବେ ଅନ୍ୟ ମାନଙ୍କ ଭଳି ସମସ୍ତ ସୁବିଧା ପାଇବେ ଏଥିପାଇଁ ନାନା ବ୍ୟବସ୍ଥା କରିଛନ୍ତି ସରକାର । ହେଲେ ସବୁକିଛି ଯେମିତି ମୂଲ୍ୟହୀନ ହୋଇପଡିଛି ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତରେ ରହୁଥିବା ଜଗନ ଦାସଙ୍କ ପାଇଁ । ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି ।
ଜନ୍ମରୁ ଡାହାଣ ହାତ ନାହିଁ । ଆଖିକୁ ବି ଭଲରେ ଦେଖାଯାଉନି । ଇଚ୍ଛା ଥିଲା ଅନ୍ୟ ମାନଙ୍କ ପରି ପରିବାର ଚଳାଇ ବାପାଙ୍କୁ ଖୁସି କରିବାକୁ। କିନ୍ତୁ ସବୁ ଆଶା ସ୍ବପ୍ନରେ ସ୍ବପ୍ନରେ ଯେମିତି ମରିଯାଇଛି । ଆମେ କୁହୁଛୁ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକରେ ରହୁଥିବା ଜଗନ ଦାସଙ୍କ କଥା । ସେ ଜନ୍ମରୁ ଦିବ୍ୟାଙ୍ଗ । ବାପା’ମା ମୂଲଲାଗି ଯାହା ଆଣନ୍ତି ସେଥିରେ ଚଳନ୍ତି 3 ପ୍ରାଣୀ କୁଟୁମ୍ବ । ଆଉ ସରକାରୀ ସାହାଯ୍ୟ କହିଲେ ସ୍ବଳ୍ପ ଭତ୍ତା ଆଉ ମାସିକ 15 କିଲୋ ଚାଉଳ । ଏପରି ସ୍ଥିତିରେ ଜୀବନ ହୋଇପଡିଛି ଦୁର୍ବିସହ ।
ଦିବ୍ୟାଙ୍ଗ ହୋଇ ବି ପାଠପଢାରେ କେବେ ହେଲେ ହେଳା କରିନାହାନ୍ତି ଜଗନ । ସ୍ନାତକ କରିବା ସହ ସେ କମ୍ପ୍ୟୁଟର ଶିକ୍ଷା ମଧ୍ୟ ନେଇଛନ୍ତି । ଆଶା ଥିଲା ପାଠ ପଢିବା ପରେ ସରକାରୀ ଚାକିରି ଖଣ୍ଡେ କରି ଘର ଚଳାଇବେ । ହେଲେ ସବୁ ଆଶା ମଉଳିବା ପରେ ପୁଅର ଭବିଷ୍ୟତକୁ ନେଇ ଚିନ୍ତାରେ ପରିବାର । ଏପଟେ ଜଗନଙ୍କ ପରିବାରକୁ ଖୁବଶିଘ୍ର ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।
ଦିବ୍ୟାଙ୍ଗ ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ ସବୁ ଯୋଜନା ଯେମିତି ଜଗନଙ୍କ ପାଇଁ ସାତ ସପନ । ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଜଗନଙ୍କୁ ସତରେ ସହାୟତା ମିଳୁଛି ନା ତାହା କେବଳ ପାଣିର ଗାର ସାବ୍ୟସ୍ତ ହେବ ତାହା ଦେଖିବାକୁ ଅପେକ୍ଷା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ