କେନ୍ଦ୍ରାପଡା: 5T ସଚିବଙ୍କ ଗସ୍ତ ପରେ ଗୋଟିଏ ଦିନରେ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟକୁ ମିଳିଛି ଅନୁଦାନ । ୮୨ କଲେଜକୁ ୪୪ କୋଟିର ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏନେଇ ଗତକାଲି(ଶୁକ୍ରବାର) କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ମୁଖ୍ୟାଳୟ ଠାରେ ବିଭିନ୍ନ କଲେଜର ଅଧ୍ୟକ୍ଷ, ଅଧ୍ୟକ୍ଷା, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ମିଳିଥିବା ତଥ୍ୟ ଅନୁସାରେ, ୫୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୨୬ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୨୫ଟି ଡିଗ୍ରୀ କଲେଜକୁ ୧୮ କୋଟି ୭୫ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ଶୁକ୍ରବାର ଭିଡିଓ କନଫରେନ୍ସ (ଆଭାସୀ) ମାଧ୍ୟମରେ 5T ସଚିବ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ନିଜେ ନିଜ କଲେଜର ରୂପାନ୍ତରଣ କାର୍ଯ୍ୟକ୍ରମର ସାକ୍ଷୀ ରହିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ବିକାଶ, ସ୍ମାର୍ଟ କ୍ଳାସରୁମ, ଟଏଲେଟ, ସ୍ମାର୍ଟ ଲାଇବ୍ରେରୀ ଓ ସାଇନ୍ସ ଲ୍ୟାବ କାମ ସହ ଖେଳପଡ଼ିଆର ଉନ୍ନତିକରଣ ପାଇଁ ପ୍ରଦାନ କରାଯାଇଥିବା ଅର୍ଥ ଖର୍ଚ୍ଚ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ସେହିପରି ଏହି ଅନୁଦାନ ପ୍ରାଥମିକ ପର୍ଯ୍ୟାୟରେ ଦିଆଯାଇଛି କମ ପଡିଲେ ପୁନଃ ଅର୍ଥ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ସଚିବ। ଅନୁଦାନ ଦିଆଯାଇଥିବା ଟଙ୍କା ହେଉଛି ଓଡିଶାବାସୀଙ୍କର, ତେଣୁ ଏହାର ଖର୍ଚ୍ଚ କିପରି ସ୍ୱଚ୍ଛତାର ସହ କରାଯିବ ସେନେଇ ଛାତ୍ରଛାତ୍ରୀମାନେ ଦାୟିତ୍ୱ ନିଅନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ଆସନ୍ତା ନଭେମ୍ବର ୧୪ ଶିଶୁଦିବସ ସୁଦ୍ଧା ସମସ୍ତ କଲେଜ ଓ ହାୟର ସେକେଣ୍ଡାରୀ ସ୍କୁଲର ବିକାଶ ମୂଳକ କାର୍ଯ୍ୟ ଶେଷ କରିବା ପାଇଁ ଉପସ୍ଥିତ ସରକାରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ସଚିବ ଏକ ହ୍ଵାଟସଆପ ନମ୍ବର ପ୍ରଦାନ କରି ଉକ୍ତ ନମ୍ବରରେ କଲେଜ କାମର ବିଭିନ୍ନ ଫଟୋ ଓ ଭିଡିଓ କରି ପଠାଇବା ପାଇଁ ପରାମର୍ଶ ଦେଇଛନ୍ତି ।
ଆସନ୍ତା ନଭେମ୍ବର ୧୪ ତାରିଖ ସୁଦ୍ଧା ୮ହଜାର ଭିଡିଓ ମିଳିଲେ ସେଥିମଧ୍ୟରୁ ବଛା ବଛା ଭିଡିଓ ଗୁଡିକୁ ମୁଖ୍ୟମନ୍ତ୍ରୀ ନିଜର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରିବେ ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସଚିବ । ଜିଲ୍ଲାର ମୋଟ ୮୨ଟି କଲେଜକୁ ଏହି ଅବସରରେ ୪୪ କୋଟି ୭୫ ଲକ୍ଷ ଟଙ୍କାର ଅନୁଦାନ ମିଳିଥିବାରୁ ବିଭିନ୍ନ ମହାବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାର ଓ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା