କେନ୍ଦ୍ରାପଡ଼ା: ବାତ୍ୟା ୟସ ପାଇଁ ସଜାଗ ରାଜ୍ୟ ସରକାର ଓ ସଜାଗ ଜିଲ୍ଲା ପ୍ରଶାସନ । ଗୋଟିଏ ପଟେ ବାତ୍ୟା ୟସ ପାଇଁ ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଅନ୍ୟପଟେ ଲୋକମାନେ ନିଜନିଜ ଘରକୁ ଛାଡି ଆଶ୍ରୟସ୍ଥଳୀ ଆସିବା ପାଇଁ ମଙ୍ଗୁନଥିବା ଦେଖାଯାଇଛି । ଗତକାଲି(ସୋମବାର) ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଓ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜି ମଧ୍ୟାହ୍ନ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର କୂଳରେ ବସବାସ କରୁଥିବା କଚ୍ଚାଘର ବାସିନ୍ଦାଙ୍କୁ ଆଶ୍ରୟସ୍ଥଳୀକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ମହାକାଳପଡ଼ା ପିତାପାଟ ଆଶ୍ରୟସ୍ଥଳୀରେ ଦେଖାଯାଇଛି ଏହାର ବ୍ୟତିକ୍ରମ ।
ଆଶ୍ରୟସ୍ଥଳୀରେ ଜଣେ ହେଲେ କେହି ନଥିବା ବେଳେ ଏହାକୁ ଜଗି ରହିଛନ୍ତି ଅଙ୍ଗନବାଡି କର୍ମୀ ଓ ଶିକ୍ଷକ । ୧୯୯୯ ମହାବାତ୍ୟାରେ ପିତାପାଟ ଗାଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ତ୍ତମାନ ୟସର କୋପ ପାଇଁ ପାରାଦୀପ ବନ୍ଦରରେ ୧୦ନଂ ବିପଦ ସଙ୍କେତ ଜାରି କରାଯାଇଛି ।
ତେବେ ପାରାଦୀପ ବନ୍ଦର ଠାରୁ ମାତ୍ର କେଇ କିଲୋମିଟର ଦୂର ପିତାପାଟ ଗାଁରେ ଜଣେ ହେଲେ କେହି ଆଶ୍ରୟସ୍ଥଳୀକୁ ନଆସିବା ପ୍ରଶାସନିକ ବ୍ୟବସ୍ଥା ଓ ସଚେତନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ‘‘ଆଶ୍ରୟ ସ୍ଥଳୀରେ ଲୋକ ସକାଳେ ଥିଲେ ଓ ଶୁଖିଲା ଖାଦ୍ୟ ଧରି ନିଜନିଜ ଘରକୁ ଚାଲି ଯାଇଥିବା ଓ ରନ୍ଧାଖାଦ୍ୟ ଖାଇବା ପାଇଁ ସମସ୍ତେ ଆସିବେ ଏବଂ ପକ୍କାଘର ଥିବାରୁ କେହି ଆଶ୍ରୟସ୍ଥଳୀରେ ରହୁନାହାନ୍ତି’’ ବୋଲି ଅଙ୍ଗନବାଡି କର୍ମୀଙ୍କ ପ୍ରତିକ୍ରିୟା ବିସ୍ମୟ ସୃଷ୍ଟି କରୁଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ