ଭୁବନେଶ୍ବର: ସବୁବେଳେ ସୋସିଆଲ ମିଡିଆରେ ନିଜର ବାଚାଳାମିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସାଂସଦ ଅନୁଭବ ମହାନ୍ତି । ଆଉଥରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି କେନ୍ଦ୍ରାପଡ଼ା ସାଂସଦ। ଏଥର କିନ୍ତୁ ପାରିବାରିକ ବିବାଦ ପାଇଁ ନୁହେ ବରଂ ଫେସ୍ବୁକ୍ ଓ ଟ୍ୱିଟରରେ ଏକ ପୋଷ୍ଟକୁ ନେଇ । ଆଉ ଯେଉଁ ତ୍ରୁଟି ଜଣାପଡିବା ପରେ କରିଥିବା ପୋଷ୍ଟକୁ ଡିଲିଟ୍ କରିଦେଲେ । ଏହାକୁ ନେଇ ବେଶ ସମାଲୋଚିତ ହୋଇଛନ୍ତି ଅନୁଭବ।
ସୂଚନା ଅନୁଯାୟୀ, ଓଡ଼ିଶାର ସ୍ୱର୍ଗତ ତଥା ପଦ୍ମଶ୍ରୀ ଓଡ଼ିଶୀ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଅନୁଭବ ମହାନ୍ତି । ରଘୁନାଥ ପାଣିଗ୍ରାହୀଙ୍କ ଓଡ଼ିଶୀ ସଙ୍ଗୀତ ପ୍ରତି ଥିବା ଅବଦାନକୁ ସ୍ମରଣ କରି ଅନୁଭବ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ହେଲେ ଏହି ପୋଷ୍ଟରେ ସେ ରଘୁନାଥ ପାଣିଗ୍ରାହୀଙ୍କ ବଦଳରେ ପ୍ରଖ୍ୟାତ ହିନ୍ଦୁସ୍ଥାନୀ ସଙ୍ଗୀତ ବାଦକ ହରିପ୍ରସାଦ ଚୌରାସିଆଙ୍କ ଫଟୋ ପୋଷ୍ଟ କରିଦେଇଥିଲେ । ଅନୁଭବ ତାଙ୍କ ସୋସିଆଲ ମିଡିଆରେ ଏହି ପୋଷ୍ଟଟିକୁ ସେୟାର କରିଥିଲା ବେଳେ ଜଣେ ୟୁଜର ଏହି ଭୁଲକୁ ଚିହ୍ନିପାରି ଏକ ରି-ଟ୍ୱିଟ୍ କରିଥିଲେ । ଆଉ ଏହି ତ୍ରୁଟି ଜଣାପଡିବା ପରେ ଅନୁଭବ ତାଙ୍କର ଏହି ପୋଷ୍ଟଟିକୁ ଡିଲିଟ୍ କରିଦେଇଛନ୍ତି । ସେ ଓଲିଉଡର ଜଣେ ଜଣାଶୁଣା ସୁପରଷ୍ଟାର ହୋଇଥିବାରୁ ତାଙ୍କର ବହୁ ସମର୍ଥକ ରହିବା ସହ ଅନେକ ତାଙ୍କୁ ଫଲୋ ମଧ୍ୟ କରିଥାନ୍ତି । ହେଲେ ବେଳେ ବେଳେ ଏମିତି ବାଚାଳାମୀ କରିବସନ୍ତି ଯେ, ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ ।
ଏମିତି ଏକ ଗୁରୁତର ତ୍ରୁଟି ସେ ପିପିଲି ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ମୃତ୍ୟୁବେଳକୁ କରିଥିଲେ। ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ର ଘୋଷଣା ହୋଇନଥିବା ପୂର୍ବରୁ ତାଙ୍କୁ ଆଗୁଆ ଶ୍ରଦ୍ଧାଞ୍ଜଳି ଜଣାଇ ପରେ ଡିଲିଟ୍ କରିଦେଇଥିଲେ । ଯାହାକୁ ନେଇ ବେଶ ସମାଲୋଚିତ ହେବାକୁ ପଡିଥିଲା । ଆଉ ସେହିପରି ତ୍ରୁଟି ପୁଣି ଥରେ କରି ସେ ସମାଲୋଚନାର ଶିକାର ହୋଇଛନ୍ତି । ଯାହା ତାଙ୍କ ଫ୍ୟାନ ମାନଙ୍କୁ ନିରାଶ କରିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ