କେନ୍ଦ୍ରାପଡା: ଗ୍ରେଡ ପେ ବୃଦ୍ଧି କରିବାକୁ ଜୋର ଧରିଛି ଦାବି। ଦାବି ପୂରଣ ନହେଲେ ପେନ୍ ଡାଉନ କରିବା ପାଇଁ ଡାକରା ଦେଲା ଅମଲା ସଂଘ । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଦରମା ଦେବାକୁ ଦାବି କଲା ଅମଲା ସଂଘ । ଗ୍ରେଡ ପେ' ଓ ଲେବୁଲ ବୃଦ୍ଧି ଦାବିରେ ବିକ୍ଷୋଭ ପ୍ରଦର୍ଶନ କଲେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମହାମଞ୍ଚର ସଦସ୍ୟ ।
ସଂଘର ଦାବି ଅନୁଯାୟୀ, ସାରା ରାଜ୍ୟର ୪ଟି ଅମଲା ସଂଘ ୨୦୧୭ ମସିହାରୁ ସେମାନଙ୍କ ଦରମା ବୃଦ୍ଧି ପାଇଁ ଦାବି କରି ଆସୁଥିଛନ୍ତି । ସରକାର ଟାଳଟୁଳ ନୀତିରେ କେବଳ କେବଳ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି । ବର୍ତ୍ତମାନ ଏହି ଚାରୋଟି ଭିନ୍ନ ସଂଘ ଏକାଠି ହୋଇ ରାଜ୍ୟ ମିଳିତ ଅମଲା ମହାମଞ୍ଚ ଗଢ଼ିବା ପରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପାଇଁ ମିଳିତ ସ୍ୱର ଉତ୍ତୋଳନ କରିଛନ୍ତି।
ସରକାରୀ ନିୟମ ଅନୁଯାୟୀ ମାଟ୍ରିକ ପାସ ହାରରେ 19ଶହ ଟଙ୍କା ଗ୍ରେଡ ପେ'ରେ ଦରମା ମିଳୁଥିବା ବେଳେ ଏହାକୁ 42ଶହକୁ ବୃଦ୍ଧି କରାଯାଉ ବୋଲି ଦାବି କରିଛି ଅମଲା କର୍ମଚାରୀ ମହାମଞ୍ଚ କେନ୍ଦ୍ରାପଡ଼ା । ଏହାସହ ଲେବୁଲ ୯ ହାରରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉ। ଏହି ଦାବିକୁ ନେଇ ଜିଲ୍ଲାସ୍ତରୀୟ ମିଳିତ ଅମଲା ମହାମଞ୍ଚ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ୨୦୧୭ରୁ ସରକାର ଏହି ଦାବି ପୂରଣ କରାଯିବ ବୋଲି କହି ଆସୁଥିବା ବେଳେ 5ବର୍ଷ ବିତି ଯାଇଥିବା ବେଳେ ମଧ୍ୟ ଦାବି ଦାବିରେ ରହିଯାଇଛି ।
ଆନ୍ଦୋଳନକାରୀ କହିଛନ୍ତି, "ଏବେ ସ୍ୱରକୁ ମଜଭୁତ କରାଯାଇ ସରକାରଙ୍କୁ ଏକମାସ ସାତଦିନ ପାଇଁ ମହଲତ ଦିଆଯାଇଛି । ଦାବି ପୂରଣ କରାନଗଲେ ସମସ୍ତ ଅମଲା ଆସନ୍ତା ମେ ୨୨ରୁ ସପ୍ତାହେ ପର୍ଯ୍ୟନ୍ତ କଳା ବ୍ୟାଚ୍ ପରିଧାନ କରି କାମ କରିବେ । ସରକାର ଅମଲାଙ୍କ ଦାବି ପୂରଣ ନକଲେ ଜୁନ ୧ ତାରିଖରୁ କଲମ ଛାଡି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ତେବେ କନିଷ୍ଠ ରାଜସ୍ୱ ସହାୟକ ଓ ବରିଷ୍ଠ ରାଜସ୍ୱ ସହାୟକ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସାରା ରାଜ୍ୟରେ ହଜାରହଜାର କର୍ମଚାରୀ ରହିଛନ୍ତି । ସେମାନଙ୍କୁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଠାରୁ ମାତ୍ର ଶହେ ଟଙ୍କା ଅଧିକ ମିଳୁଥିବା ବେଳେ ସର୍ବନିମ୍ନ ଗ୍ରେଡ ପେ' ବ୍ୟବସ୍ଥାରେ କାମ କରିବା ସମ୍ଭବ ନୁହେଁ ବୋଲି ଦିଆଯାଇଥିବା ଦାବିପତ୍ର ନିବେଦନ କରାଯାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା