କେନ୍ଦ୍ରାପଡା: ଗରିବ ଲୋକଙ୍କ ପାଇଁ ଆସିଥିବା ଖାଦ୍ୟସାମଗ୍ରୀକୁ ନବାଣ୍ଟି ଏହାକୁ ପୋତି ଏବଂ ପୋଡ଼ିଦେଇ ନିଜର ଦୋଷ ଲୁଚାଇବାକୁ ଉଦ୍ୟମ କରିଛି ଜିଲ୍ଲା ପ୍ରଶାସନ। ମହାବାତ୍ୟା ୟାସ ଯୋଗୁଁ ଲୋକମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ବେଳେ ସେମାନଙ୍କ ପେଟକୁ ଦାନା ଯୋଗାଇବା ପାଇଁ ଶୁଖିଲା ଖାଦ୍ୟ ବାବଦକୁ ଆସିଥିବା ଚୁଡା, ବିସ୍କୁଟ ଆଦି ଖାଦ୍ୟ ସବୁକୁ ନଷ୍ଟ କରିଛି ପ୍ରଶାସନ ।
ବାତ୍ୟା ୟାସ ଗତ ମେ ମାସରେ ତା'ର କରାଳ ରୂପ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଦେଖାଇଛି। କେନ୍ଦ୍ରାପଡ଼ା, ଭଦ୍ରକ ଆଦି ଜିଲ୍ଲାରେ ବାତ୍ୟା ୟାସ ତାର ଛାପ ଛାଡ଼ିଦେଇ ଯାଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ ଦେଖାଇଛି ତାର କରାଳରୂପ। ପ୍ରଥମେ IMD ପକ୍ଷରୁ ବାତ୍ୟା ୟାସ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଭିତରକନିକାରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ଦିଆଯିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସମୁଦ୍ର କୂଳରେ ବସବାସ କରୁଥିବା ଏକଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରିତ କରି ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ମିଡିଆ ଓ ରାଜ୍ୟ ସରକାରଙ୍କୁ ସୂଚନା ଦେଇଥିଲା। ତେବେ ଅସୁବିଧାରେ ଥିବା ଲୋକଙ୍କୁ କିପରି ଶୁଖିଲା ଖାଦ୍ୟ ପହଞ୍ଚାଯାଇଛି ତା'ର ନଗ୍ନ ନମୁନା ଓ ଜିଲ୍ଲା ପ୍ରଶାସନର ମିଛ ଧରା ପକାଇ ଦେଇଛି ବିଦ୍ୟାଳୟ ପରିସରରେ ପୋତାଯାଇଥିବା ଚୁଡା ଓ ପୋଡାଯାଇଥିବା ବିସ୍କୁଟ।
ରାଜନଗର ବ୍ଳକ ବାଘମାରୀ ପଞ୍ଚାୟତ ମଞ୍ଜୁଳାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଗତ ଦୁଇଦିନ ତଳେ କିଛି ଲୋକ ଗାତ ଖୋଳି କିଛି ସାମଗ୍ରୀ ପୋତୁଥିବା ଓ ନିଆଁ ଲଗାଇ ପୋଡୁଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ। ତେବେ ଗତ ୨୬ ତାରିଖ ଦିନ ପୋତାଯାଇଥିବା ସ୍ଥାନକୁ ଗ୍ରାମବାସୀ ଖୋଳିବାରୁ ଜଣାପଡିଥିଲା ଅସଲି ରହସ୍ୟ। ଲୋକମାନଙ୍କୁ ଚୁଡା ଓ ବିସ୍କୁଟ ଦିଆନଯାଇ ଏହାକୁ ସ୍ଥାନୀୟ ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସ ନଷ୍ଟ କରିଦେଇଥିବା ଦେଖିବାକୁ ପାଇଥିଲେ । ପରେ କ୍ଷୋଭ ପ୍ରକାଶ କରି ଗ୍ରାମବାସୀ ମାନେ ଏନେଇ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ ଓ ଧିରେଧିରେ ଗାଁରେ ଉତ୍ତେଜନା ଦେଖା ଯାଇଥିଲା।
ସମୁଦ୍ର ଉପକୂଳରେ ବସବାସ କରୁଥିବା ହେତୁ ରାଜନଗର ବ୍ଲକର ପ୍ରାୟ ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତ ଲୁଣିପାଣି ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅତ୍ୟଧିକ ପ୍ରଭାବିତ ହୋଇଥିଲା ବାଘମାରୀ ପଞ୍ଚାୟତ। ଲୋକମାନେ ଦୀର୍ଘ ଦୁଇ ସପ୍ତାହରୁ ଅଧିକ ସମୟ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପହଞ୍ଚାଇବା ନାଁରେ ପ୍ରହସନ କରିଥିଲା ବ୍ଲକ ଓ ଜିଲ୍ଲା ପ୍ରଶାସନ।
ଉକ୍ତ ଚୁଡା ଓ ବିସ୍କୁଟକୁ ଲୋକମାନଙ୍କୁ ବଣ୍ଟାଯାଇ ପାରିଥାନ୍ତା କିନ୍ତୁ, ଉଦାସୀନତା ମନୋଭାବ ଯୋଗୁଁ ଲୋକମାନେ ଏହି ଚୁଡା ଏବଂ ବିସ୍କୁଟ ପାଇବାରୁ ବଞ୍ଚିତ ହେଲେ ଯାହାକି ପ୍ରଶାସନର ବାତ୍ୟା ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ସରକାରୀ ଧନର ଏଭଳି ଅନୁପଯୋଗ ହୋଇଥିବା ନେଇ ଅଭିଯୋଗ ଆଣିଥିବା ଗ୍ରାମାବାସିଙ୍କ ସହ ସରପଞ୍ଚଙ୍କ ସହଯୋଗୀଙ୍କ ମଧ୍ୟରେ ବଚସା ଓ ହାତହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ପ୍ରଶାସନ ସବୁ ଦେଖି ଚୁପ ରହିବା ପାରିବା ପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏନେଇ ବିଡ଼ିଓଙ୍କ ପ୍ରତିକ୍ରିୟା ଲୋଡିବାରୁ ସେ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ଓ ଖୁବଶୀଘ୍ର ତଦନ୍ତ କରାଯାଇ ଏହା ଉପରେ ଆକ୍ସନ ନିଆଯିବ ବୋଲି କହିଛନ୍ତି। ‘ସରକାରକା ମାଲ ଦରିଆ ମେ ଡାଲ’ ନ୍ୟାୟରେ ଜିଲ୍ଲା ପ୍ରଶାସନ କରିଥିବା ଏଭଳି କାର୍ଯ୍ୟର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକତା ରହିଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ