କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନର ସବୁଠୁ ବଡ଼ ଦ୍ବୀପ କାଳୀ ଭଞ୍ଜଡ଼ିଆ । ପ୍ରାୟ ୮ କିଲୋମିଟର ଲମ୍ବ ଓ ୧ କିଲୋମିଟର ଓସାର ବିଶିଷ୍ଟ ଏହି ଦ୍ବୀପକୁ ଚାରିପଟୁ ନଦୀ ଓ ମୁହାଣ ଘେରି ରହିଛି । ପୂର୍ବରୁ ପର୍ଯ୍ୟଟକମାନେ ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲିବାକୁ ଆସୁଥିବା ବେଳେ କାଳୀ ଭଞ୍ଜଡ଼ିଆକୁ ଯିବା ପାଇଁ ବାରଣ ଥିଲା । ଏହି ସ୍ଥାନଟି ଅହିରାଜ ସମେତ ବିଷଧର ସାପଙ୍କ ଆବାସସ୍ଥଳୀ ହୋଇଥିବା କାରଣରୁ ପର୍ଯ୍ୟଟକମାନଙ୍କୁ ଛଡ଼ା ଯାଇନଥାଏ । ଭିତରକନିକାର ଏହି ଦ୍ବୀପ ହେନ୍ତାଳ ଜଙ୍ଗଲ ବା ଜୁଆରିଆ ଜଙ୍ଗଲ ଉପରେ ଗବେଷଣା କରିବାର ପ୍ରକୃଷ୍ଟ ସ୍ଥାନ ।
ଜାତୀୟ ଉଦ୍ୟାନର ଗୋଟିଏ ପଟେ ବ୍ରାହ୍ମଣୀ ନଦୀ ଓ ଅନ୍ୟପଟେ ଧାମରା ନଦୀ ଭିତରେ ଓ ମୁହାଣ ନିକଟରେ ରହିଛି ଜୈବ ବିବିଧତାରେ ପରିପୂର୍ଣ୍ଣ କାଳୀ ଭଞ୍ଜଡିଆ । ଏହାର ନିଘଞ୍ଚ ପରିସଂସ୍ଥା ସୁନ୍ଦର ଯେତିକି ଅନ୍ଧାର ବି ସେତିକି । ଜଳପଥରେ କାଳୀ ଭଞ୍ଜଡିଆର ଶୋଭା ଉପଭୋଗ ସମୟରେ ନଦୀ କଡରେ ଥିବା ଗଛରେ ଓହଳିଥିବା ଅଜଗର ଓ ଉଈ ହୁଙ୍କା ପାଖରେ ଖରା ପୋଉଁଥିବା ଅହିରାଜଙ୍କୁ ଦେଖିବାକୁ ମିଳେ । ଏଠି ୨୦/୩୦ ଫୁଟ ଲମ୍ବର ଅହିରାଜ ରହିଛନ୍ତି । ଏଥିସହ ହରିଣ,ବାର୍ହା, ଝିଙ୍କ ସହିତ ଅଧିକ ସଂଖ୍ୟାରେ ଫିସିଂ କ୍ୟାଟ ପ୍ରଭୃତି ଦେଖିବାକୁ ମିଳିଥାଏ ।
ଏହାମଧ୍ୟ ପଢନ୍ତୁ: ଦୃଷ୍ଟି ଆଢୁଆଳରେ ପଞ୍ଚୁବରାହୀ ପୀଠ: ଲାଗି ହୁଏ ଆମିଷ, ଶବର ସମ୍ପ୍ରଦାୟର ସଧବା ମହିଳା କରନ୍ତି ପୂଜା
ଭିତରକନିକାକୁ ବୁଲି ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଅକ୍ଟୋବର ୧ ତାରିଖ ଅର୍ଥାତ ଆଜି ଠାରୁ ପ୍ରଥମ ଥର ପାଇଁ ଖୋଲିବାକୁ ଯାଉଛି କାଳିଭଞ୍ଜଡିଆ । କେବଳ ଦିନ ବେଳା ପର୍ଯ୍ୟଟକମାନେ ସେଠାକୁ ଯାଇ ୪ଟା ସୁଦ୍ଧା ଫେରିବାକୁ ଅନୁମତି ରହିଛି । ଏଠାରେ କେବଳ ଗବେଷକମାନଙ୍କ ପାଇଁ ରାତ୍ରିଯାପନର ବ୍ୟବସ୍ଥା ରହିଛି । ପର୍ଯ୍ୟଟକମାନଙ୍କୁ ଖାଲି ଦିନ ବେଳା ବୁଲିବାକୁ ଛଡାଯିବ । ୭ କିମି ପାଦଚଲା ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ପର୍ଯ୍ୟଟକମାନଙ୍କୁ କେବଳ ୩ କିମି ଯାଏ ଛଡାଯିବ । ଖୋଳାରୁ ବୋଟ ଯୋଗେ କାଳୀ ଭଞ୍ଜଡିଆ ଗଲେ ଦେଢ ଘଣ୍ଟା ସମୟ ଲାଗୁଥିବା ବେଳେ ତାଳଚୁଆରୁ କାଳୀ ଭଞ୍ଜଡିଆ ଜଳପଥରେ ମାତ୍ର ୧୫ ମିନିଟ ସମୟ ଲାଗିବ । ବନ କର୍ମଚାରୀଙ୍କ ରହିବା ପାଇଁ ଦ୍ବୀପରେ ୱାଚ ଟାୱାର ନିର୍ମାଣ ହୋଇଛି ।
୧୯୭୫ ମସିହାରେ ଯେତେବେଳେ କୁମ୍ଭୀରମାନଙ୍କର ବସା ଭାଙ୍ଗି ଯାଇଥିଲା ଏଥିରୁ ୨୪ଟି ଅଣ୍ଡା ନଷ୍ଟ ହୋଇଯାଇଥିଲା ଓ ଆଉ ୨୪ଟି ଅଣ୍ଡା କାଳୀ ଭଞ୍ଜଡିଆ ଠାରେ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ଏକ ଅଣ୍ଡାରୁ ଧଳା କୁମ୍ଭୀର ଜନ୍ମ ଗ୍ରହଣ କରିଥିଲା, ଯାହାକି ବିଶ୍ୱର ପ୍ରଥମ ଧଳା କୁମ୍ଭୀର ଥିଲା । ଆଜି ବି ସେ ଧଳା କୁମ୍ଭୀରକୁ ଦେଖିବାକୁ ପଯ୍ୟଟକମାନଙ୍କ ଭିଡ଼ ଜମୁଛି । କୁହାଯାଏ ଏହି କାଳୀ ଭଞ୍ଜଡ଼ିଆକୁ ଥରେ ଆସିଲେ ବାରମ୍ବାର ଆସିବା ପାଇଁ ଇଚ୍ଛା କରିଥାଆନ୍ତି ପର୍ଯ୍ୟଟକ ।
ଇଟିଭି ଭାରତ, କେନ୍ଦ୍ରାପଡା