କେନ୍ଦ୍ରାପଡା: "ସଂସାର ଯୁଦ୍ଧରେ ହାରିଯାଇ ଏଭଳି କରିବାକୁ ବାଧ୍ୟ ହେଲି । ଏହା ବ୍ୟତୀତ ଅନ୍ୟ ଉପାୟ କିଛି ନଥିଲା । ଭଉଣୀର ଆଖି ଲୁହର ଦୁଃଖ ସହି ପାରିଲିନି । ଲୁହ ପୋଛିବା ପରିସ୍ଥିତି ବି ନାହିଁ । ମୋ ଭାଗ୍ୟ ମୋତେ ଏପରି କରେଇଛି । ଏଥିଲାଗି କେହି ଦାୟୀ ନୁହନ୍ତି । ଜୟ ଜଗନ୍ନାଥ ।" ଏଭଳି କିଛି ଲେଖି ଜଣେ ବ୍ୟକ୍ତି ନିଜ ଜୀବନ ହାରିଛନ୍ତି । ରାସ୍ତା କଡରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ ।
ସୂଚନା ଅନୁସାରେ, ସୋମବାର ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋଗୁଆ ଚଉଦକୁଲାଟ ରାସ୍ତାର ପଳସିଂହା ଗାଁ ପାଖ ଏକ ଗଛରେ ଜଣେ ଅଜଣାଙ୍କ ବ୍ୟକ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ତାରେ ଦେଖିବାକୁ ମିଳିଥିଲା । OR05 AT 6322 ନମ୍ବର ବିଶିଷ୍ଟ ଏକ ମଟର ସାଇକେଲ ମଧ୍ୟ ଏହି ମୃତକ ଝୁଲୁଥିବା ଗଛ ନିକଟରେ ରହିଥିଲା । ଏହାସହ ଗଛ ନିକଟରେ ବ୍ୟକ୍ତି ଜଣଙ୍କର ଚପଲ ଓ ଏକ ବିଷାକ୍ତ ଦ୍ରବ୍ୟ ବୋତଲ ମଧ୍ୟ ପଡ଼ିଥିଲା । ତେବେ ଏଭଳି ଘଟଣା ଦେଖି ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚଉଦକୁଲାଟ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ସନ୍ଦେହ ସୃଷ୍ଟି କରିଛି । ସେପଟେ ଗାଡି ନମ୍ବରରୁ ଏହା ରାଉରକେଲାର ସେକ୍ଟର-18ର ବାସିନ୍ଦା ବୋଲି ଜଣା ପଡିଛି ।
ଏହା ମଧ୍ୟ ପଢ଼ନ୍ତୁ.....ଅବସରପ୍ରାପ୍ତ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ସେପଟେ ପୋଲିସ ମୃତକଙ୍କ ଗାଡି ଡ଼ିକିରୁ ଫୋନ ଏବଂ କିଛି କାଗଜ ପତ୍ର ଉଦ୍ଧାର କରିଥିବା ବେଳେ ମୋବାଇଲ ଫୋନରେ ଆତ୍ମହତ୍ୟା ଜନିତ ମୃତ୍ୟୁକ କାରଣ ଉଲ୍ଲେଖ ଥିବା ପୋଲିସ ଜାଣିବାକୁ ପାଇଛି । ଭଉଣୀର ଦୁଃଖ ସହିପାରୁନି, ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ମୃତକର ମୋବାଇଲରେ ଲେଖା ହୋଇଛି । ଅନ୍ୟପକ୍ଷରେ ମୃତକଙ୍କର ଘର ସୁନ୍ଦରଗଡ଼ ହୋଇଥିବା ବେଳେ ସେ ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ରହୁଥିଲେ ବୋଲି ସମ୍ୟକ ସୂଚନା ମିଳିଛି । ତେବେ ସେ କେଉଁ କାରଣରୁ ଜୀବନ ହାରିଛନ୍ତି ? କେନ୍ଦ୍ରାପଡା କାହିଁକି ଆସିଥିଲେ ? ଏବଂ ତାଙ୍କ ମୃତଦେହ କାହିଁକି ଗୋଗୁଆ-ଚଉଦକୁଲାଟ ରାସ୍ତାର ଏକ ଗଛରେ ଝୁଲୁଥିଲା ତାହା ଏବେ ଜନସାଧାରଣଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଇଟିଭି ଭାରତ, କେନ୍ଦ୍ରାପଡା