କେନ୍ଦ୍ରାପଡ଼ା : ହତ୍ୟା ଓ ଅପହରଣ ଭଳି ସଙ୍ଗୀନ ଅପରାଧ ଘଟାଇ ଅଭିଯୁକ୍ତମାନେ ଗୁଜୁରାଟରୁ ଫେରାର ହୋଇ ନିଜ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳକୁ ଚାଲିଆସିଥିଲେ । ଗୁଜୁରାଟ ପୋଲିସ ଘଟଣାର ତଦନ୍ତ କରି ପଟ୍ଟାମୁଣ୍ଡାଇରେ ପହଞ୍ଚି ଥିଲା ଗୁଜୁରାଟ ପୋଲିସ୍ । ସେଠାରେ ପଟ୍ଟାମୁଣ୍ଡାଇ ପୋଲିସ ସହାୟତାରେ ସମ୍ପୃକ୍ତ ୨ ଅଭିଯୁକ୍ତକୁ ଗିରଫ କରି ଗୁଜୁରାଟ ନେଇଯାଇଛନ୍ତି ।
ସୂଚନାନୁଯାୟୀ, ୨୦୦୬ ମସିହାରେ ଗୁଜୁରାଟ ସୁରଟ ସହରରେ ସଂଗଠିତ ଏକ ହତ୍ୟା ମାମଲାରେ ଗୁଜୁରାଟର ଉମ୍ରା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସେବେଠାରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡ଼ପନ୍ତୁରି ଗ୍ରାମର ଭାସ୍କର ମଲ୍ଲିକଙ୍କ ପୁଅ ପ୍ରଦୀପ ଗୁଜୁରାଟ ଛାଡି ଆସି ଗାଁରେ ରହୁଥିଲା ।
ତେବେ ଦୀର୍ଘ ୧୬ବର୍ଷ ପରେ ଗୁଜୁରାଟ ପୋଲିସ ଗତ ସନ୍ଧ୍ୟାରେ ବଡ଼ପନ୍ତୁରି ଗାଁରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ସେହିପରି ଅନ୍ୟ ଏକ ଅଭିଯୋଗ ଅନୁଯାୟୀ, ୨୦୧୫ ମସିହାରେ ଗୁଜୁରାଟରୁ ଜନୈକା ନାବାଳିକାକୁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସାନଜରିଆ ଗ୍ରାମର କରୁଣାକର ଜତିଙ୍କ ପୁଅ ପିଣ୍ଟୁ ଓରଫ ସୁଶାନ୍ତ ଅପହରଣ କରି ପଟ୍ଟାମୁଣ୍ଡାଇ ନେଇଆସିଥିଲା । ଗତକାଲି ଗୁଜୁରାଟ ପୋଲିସ ହାବୁଡ଼ରେ ପଡିଥିଲା ।
ତେବେ ଗୁଜରାଟ ପୋଲିସ ଏକ ସ୍ୱତନ୍ତ୍ର ବସରେ ଆସି ୨ ଅଭିଯୁକ୍ତଙ୍କୁ ଗିରଫ କରି ଗୁଜୁରାଟ ନେଇଯାଇଛି । ଏହି ଘଟଣା ସମ୍ପର୍କରେ ଗୁଜୁରାଟ ପୋଲିସ କ୍ୟାମେରା ସମ୍ମୁଖରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ