କେନ୍ଦ୍ରାପଡ଼ା: ଜିଲ୍ଲା ଗରଦପୁର ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ଯାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ସମସ୍ତ ୨୮୦ଟି ବୁଥରେ ମତଦାନ ବେଳେ କାଁଭାଁ ଉତ୍ତେଜନା ଦେଖା ଦେଇଥିଲା । ବଙ୍ଗାଳପୁର ପଞ୍ଚାୟତର ୧୫ ନମ୍ବର ନୂଆଶାସନ ବୁଥରେ ସରପଞ୍ଚ ପଦବୀ ପାଇଁ ଭୋଟିଂ ଭୋଟର ବାଲାଟ ପେପର ଭାଙ୍ଗିବାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଯାଇଥିଲା ।
ସରପଞ୍ଚ ପ୍ରାର୍ଥୀଙ୍କ ଅଭିଯୋଗ ଅନୁଯାୟୀ, ସରପଞ୍ଚଙ୍କ ନିର୍ବାଚନ ଚିହ୍ନକୁ ପ୍ରିଜାଇଡିଂ ଅଫିସର ଜଣକ ଭୁଲ୍ ଭାବେ ଭାଙ୍ଗିଥିବାରୁ ସଂପୃକ୍ତ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନକୁ ଭୋଟରମାନେ ସଠିକ୍ ଭାବେ ଦେଖିପାରୁନଥିଲେ । ଏନେଇ ସମ୍ପୃକ୍ତ ସରପଞ୍ଚ ପ୍ରାର୍ଥୀ ଅଭିଯୋଗ ଆଣିବା ପରେ ଏହି ଘଟଣାକୁ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ନିଆଯାଇଥିଲା । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସେହି ବୁଥରେ କେବଳ ସରପଞ୍ଚ ପଦବୀ ପାଇଁ ସାନି ମତଦାନ କରାଯିବ । ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି ।
ବଙ୍ଗାଳପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ରହିଥିବାବେଳେ ପ୍ରଶାସନ ସହଯୋଗରେ ଆକ୍ରୋଶମୂଳକ ମନୋଭାବ ରଖି ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ପରାଜିତ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ତେବେ ପରବର୍ତ୍ତୀ ସମୟରେ ସାନି ମତଦାନ ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ପ୍ରାର୍ଥୀ ଜଣଙ୍କ ସନ୍ତୋଷ ପ୍ରକାଶ କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ