କେନ୍ଦ୍ରାପଡା: ଗହୀରମଥାରେ ବେଆଇନ ଭାବେ ଚାଲିଛି ମାଛମରା । ଏନେଇ ବନବିଭାଗ ୧୧ ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଗହୀରମଥାରେ ଏବେ କଇଁଛଙ୍କ ଆଗମନ ଓ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ବନ୍ଦ ରହିଛି । ହେଲେ କଟକଣା ନ ମାନି ଗହୀରମଥାକୁ ମାଛ ଧରିବା ପାଇଁ କିଛି ମତ୍ସ୍ୟଜୀବୀ ଯାଉଛନ୍ତି । ଗତ ୩ ମାସ ମଧ୍ୟରେ ଶହେରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ଗିରଫ ହୋଇ ସାରିଲେଣି।
ମଙ୍ଗଳବାର ବିଳମ୍ବିତ ରାତିରେ ଗହୀରମଥାର ନିଷେଦ୍ଧାଞ୍ଚଳରେ ଦୁଇଟି ଡଙ୍ଗାରେ ମହାକାଳପଡ଼ା ଖରିନାସୀ ଅଞ୍ଚଳର ୧୧ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଉଦ୍ୟମ କରୁଥିଲେ । ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ସମୟରେ ରେଞ୍ଜ ଅଫିସର ଦେବାଶିଷ ଭୋଇଙ୍କ ନେତୃତ୍ୱରେ ଗହୀରମଥାରେ ଚଢାଉ କରାଯାଇଥିଲା । ବନବିଭାଗର ଟିମ ସମସ୍ତ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ଦୁଇଟି ଡଙ୍ଗା ଓ ଜାଲ ଜବତ କରାଯାଇଛି । ମଙ୍ଗଳବାର ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ୧୧ ଜଣ ମାଛ ମାଫିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ