କେନ୍ଦ୍ରାପଡ଼ା: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସଦଭାବନା ଗୃହରେ ପଞ୍ଚମ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଏକବର୍ଷ ହେବ କୋଭିଡ ମହାମାରୀ ପାଇଁ ଏହି ବୈଠକ ସ୍ଥଗିତ ରହିଥିବା ବେଳେ ଶୁକ୍ରବାର ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜନଗର, ଆଳିର ବିଧାୟକ ଓ ପାଟକୁରା ବିଧାୟକଙ୍କ ପ୍ରତିନିଧିଙ୍କ ସମେତ ଜିଲ୍ଲାର ସମସ୍ତ ୩୨ଟି ଜୋନର ଜିଲ୍ଲା ପରିଷଦ ସାମିଲ ହୋଇଥିଲେ ।
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, କୋଷ୍ଟାଲ ହାଇୱେ ନିର୍ମାଣ ସମେତ ଗୋମିତ୍ର ନିଯୁକ୍ତିରେ ପୂର୍ବରୁ ସେବା କରି ଆସୁଥିବା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ବୟସ ସୀମା କୋହଳ କରିବା ଭଳି ପ୍ରସ୍ତାବ ଦେଇଥିଲେ ଆଳି ବିଧାୟକ ପ୍ରତାପ ଦେବ । ସେହିପରି ଜିଲ୍ଲାରେ ମୋଟ ୨୨୪ଟି ଡାକ୍ତର ପୋଷ୍ଟ ରହିଥିବା ବେଳେ ମାତ୍ର ୯୧ଜଣ ଡାକ୍ତରଙ୍କୁ ନେଇ ଜିଲ୍ଲାର ସମସ୍ତ ଚିକିତ୍ସାଳୟ ଚାଲୁ ଅଛି ଯାହାକି ରୋଗୀସେବା କ୍ଷେତ୍ରରେ ଏକ ଉଦାସୀନତା । ତେଣୁ ଜିଲ୍ଲାର ୫ଜଣ ବିଧାୟକ ଏନେଇ ସରକାରଙ୍କ ପାଖରେ ଅନୁରୋଧ କରିବାକୁ ଥିବାବେଳେ ଜିଲ୍ଲାପାଳ ମଧ୍ୟ ସରକାରଙ୍କୁ ରୋଗୀ ସେବା କ୍ଷେତ୍ରରେ ହେଉଥିବା ଅସୁବିଧାକୁ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି ଦେବ ।
ତେବେ ଜିଲ୍ଲା ପରିଷଦ ବୈଠକରେ ଯେଉଁ ଆଲୋଚନା କରାଗଲା ସେଗୁଡିକୁ ନୋଟ କରାଯାଇଛି ଓ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଧରି ଏନେଇ ଆଲୋଚନା ଓ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେହିପରି ମହାକାଳପଡା ଲାଞ୍ଜୁରା ପଞ୍ଚାୟତରେ ମନରେଗାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ତଦନ୍ତ ଜାରି ରଖିଛନ୍ତି ଓ ତଦନ୍ତ ଶେଷ ହେବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ