କେନ୍ଦ୍ରାପଡା: କେନାଲରେ ପାଣି ନଆସିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ । ଫଳରେ ପାଣି ଯୋଗାଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀକୂଳ । ଟାୟାର ଜାଳି ରାସ୍ତାରୋକ କରିବାରୁ ଯାତାୟତ ବାଧାପ୍ରାପ୍ତ । କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ୍ କୁହୁଡି ପଞ୍ଚାୟତର ଚାଷୀମାନେ କେନାଲରେ ପାଣି ନଆସିବା କାରଣରୁ ରାସ୍ତାକୁ ଓହ୍ଲାଇ ଅଧିକାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଅଭାବି ବର୍ଷା କାରଣରୁ କେନ୍ଦ୍ରାପଡାରେ ଚାଷ ଜମି ସବୁ ଶୁଖିଲା ପଡିଛି । ଫଳରେ ଧାନ ଚାଷ ପାଇଁ ରୁଆପୋତା ମଧ୍ୟ ବିଳମ୍ବ ହୋଇଛି । ଏମିତିରେ କେନାଲରେ ପାଣି ନଆସିବା ଚାଷିଙ୍କ ପାଇଁ ବୋଝ ଉପରେ ନଳିତା ବିଡା ପାଲଟିଥିଲା । କେନାଲରେ ପାଣି ନଆସିବାରୁ ଚାଷ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ଅଭିଯୋଗ କରି ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ କୁହୁଡି ପଞ୍ଚାୟତର ଚାଷୀ ।
ଏନେଇ ଖବର ପାଇ ଜଳସେଚନ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର, SDO ଏବଂ ଜେଇ ଘଟଣା ସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ କରିଥିଲେ । ଏହା ପରେ କେନାଲରେ ୨୪ ଘଣ୍ଟା ମଧ୍ଯରେ ପାଣି ଆସିବ ବୋଲି ପ୍ରତିଶୃତି ଦେବାରୁ ରାସ୍ତାରୋକ ହଟିଥିବା ସୂଚନା ମିଳିଛି ।