କେନ୍ଦ୍ରାପଡା: ସାରା ଦେଶରେ ତେଜୁଛି ଚାଷୀ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ପାରିତ ନୂତନ କୃଷି ଆଇନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । କେନ୍ଦ୍ରାପଡାରେ ମଧ୍ୟ କୃଷି ଆଇନକୁ ବିରୋଧ କରି ଗଣଧାରଣା ଦେଇଛି ଅଖିଳ ଭାରତୀୟ କୃଷକ ସଙ୍ଗଠନ ।
ନୂତନ କୃଷି ଆଇନ ପ୍ରଣୟନ ହେବା ପରେ ସାରା ଦେଶରେ କୃଷକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାର ଦ୍ବାରା ଗୃହୀତ ତିନୋଟି କୃଷକ ବିରୋଧୀ କଳା ଆଇନର ପ୍ରତିବାଦ, ବିଦ୍ୟୁତ ବିଲକୁ ବିରୋଧ ଓ ପ୍ରତ୍ୟାହାର ଦାବି କରି ୫୦୦ରୁ ଊର୍ଦ୍ଧ୍ବ କୃଷକ ସଙ୍ଗଠନକୁ ନେଇ ଗଠିତ ‘ସଂଯୁକ୍ତ କିଷାନ ମୋର୍ଚ୍ଚା’ ପକ୍ଷରୁ ଦିଲ୍ଲୀରେ କରାଯାଇଥିବା କୃଷକ ଆନ୍ଦୋଳନ ପାଇଁ ଭାରତ ବନ୍ଦ, ଟୋଲଗେଟ ବନ୍ଦ ଆଦି ଆନ୍ଦୋଳନ ହୋଇଥିଲା । ହେଲେ କିଛି ସୁଫଳ ମିଳି ନଥିଲା । ଆଜି ଏହି ସଂଗଠନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକମାନେ ଗଣଧାରଣା ଦେଇଛନ୍ତି ।
ମୋର୍ଚ୍ଚାର ଅଭିଯୋଗ ଅନୁଯାୟୀ,ସରକାର କୃଷକଙ୍କ ଦାବିକୁ କର୍ଣ୍ଣପାତ ନକରି ବଡ଼ବଡ଼ କମ୍ପାନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି । କେନ୍ଦ୍ର ସରକାର ଏହି କିଷାନ ବିରୋଧି ଓ କର୍ପୋରେଟ ସପକ୍ଷବାଦୀ କୃଷି ଆଇନକୁ ବାତିଲ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ବର ବେହେରା।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ