କେନ୍ଦ୍ରାପଡା: ଫସଲ ଅମଳକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । କିନ୍ତୁ ଫସଲରେ ଲାଗିଲେଣି ଜଉ ଓ ଚକଡ଼ା ପୋକ। ବିଭିନ୍ନ ସମବାୟ ସଂସ୍ଥା ଓ ବ୍ୟାଙ୍କରୁ ଆଣିଥିବା କରଜ କେମିତି ପରିଶୋଧ କରିବେ ସେନେଇ ଚିନ୍ତାରେ ଚାଷୀକୁଳ। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ନୋଳସାହି ପାଟରାରେ ଦେଖିବାକୁ ମିଳିଛି ଦୃଶ୍ୟ। ବାତ୍ୟା ବୁଲବୁଲ ଚାଷୀଙ୍କର ସମସ୍ତ ଆଶା ଆକାଂକ୍ଷାକୁ ମାଟିରେ ମିଶେଇ ଦେଇଛି।
ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଜମିରେ ଏବେବି ଜମିରହିଛି ପାଣି । ଆଉ ଫସଲରେ ଲାଗିଛନ୍ତି ପୋକ। ଏନେଇ ଗାଁରେ ମଧ୍ୟ କୌଣସି ସରକାରୀ ଅଧିକାରୀ କ୍ଷୟକ୍ଷତି ଆକଳନ କରିବାକୁ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଏଭଳିସ୍ଥଳେ ଚାଷୀମାନେ ମୃତ୍ୟୁର ବାଟ ବାଛିନେବା ଏକ ପ୍ରକାର ଥୟ ବୋଲି କହିଛନ୍ତି ଚାଷୀ।
ଉଚ୍ଚଶିକ୍ଷିତ ହୋଇ ଚାକିରୀ ନମିଳିବାରୁ ବାପା ଅଜା କରୁଥିବା ବୃତ୍ତିକୁ ଆପଣେଇଥିବା ଯୁବ ଚାଷୀ ମଧ୍ୟ ହତାଶ ହୋଇପଡିଛନ୍ତି । ଗତବର୍ଷ ତିତିଲି ବାତ୍ୟା ମଧ୍ୟ ଚାଷ ଉପରେ ଢେର ପ୍ରଭାବ ପକେଇଥିଲା । ହେଲେ ସରକାର କିଛି ସହାୟତା କରିନଥିଲେ । ହେଲେ କୌଣସି ପ୍ରକାରେ ପୁଣି କରଜ କରି ଚାଷ ଆରମ୍ଭ କରିଥିଲା ଚଷା ପୁଅ । ପୁଣି ବୁଲବୁଲ ଉଜାଡି ଦେଲା ସବୁ ଚାଷ ।
ଚଳିତବର୍ଷ ଡେରାବିଶ୍ ବ୍ଲକରେ 11000 ହେକ୍ଟର ଧାନ ଚାଷ ହୋଇଛି,ଡେରାବିଶ୍ ବ୍ଳକର 26ଟି ପଞ୍ଚାୟତରେ ଥିବା 182ଟି ଗାଁରେ ତହସିଲଦାରଙ୍କ ଦ୍ୱାରା ଗଠିତ 6ଟି ଟିମ ସର୍ଭେ କରିବ ବୋଲି କହିଛନ୍ତି ସହକାରୀ କୃଷି ଅଧିକାରୀ। ସେହିପରି ବ୍ଲକର କୌଣସି ଅଞ୍ଚଳରେ ଧାନ ଚାଷ ରୋଗପୋକ ଦ୍ୱାରା ନଷ୍ଟ ହୋଇନଥିବା କହିଥିବା ବେଳେ ସୋମବାର ରୁ ଶୁକ୍ରବାର ରୋଗପୋକ ସର୍ବେକ୍ଷଣ କରାଯାଉଥିବା ମଧ୍ୟ କହିଛନ୍ତି ଅଧିକାରୀ ଜଣଙ୍କ। ତାଙ୍କ ପାଖରେ ଥିବା ସୂଚନା ମୁତାବକ ରଘୁଦେଇପୁର ପଞ୍ଚାୟତରେ ହୋଇଥିବା ସମସ୍ୟର ସମାଧାନ ପାଇଁ ସେ VAW ଙ୍କୁ କହିଥିବା ଓ ଆସନ୍ତାକାଲି ଉକ୍ତ ଚାଷ ଜମି ଗୁଡିକୁ ରୋଗପୋକ ବିଶେଷଜ୍ଞ ଯାଇ ତଦନ୍ତ କରିବେ ବୋଲି କହିଛନ୍ତି ଅଧିକାରୀ ଜଣଙ୍କ।
ବର୍ତ୍ତମାନ ଚାଷୀକୁଳ ନିଜନିଜର ଖାଦ୍ୟ ଓ ବର୍ଷଯାକର ଗୁଜୁରାଣ ମେଣ୍ଟାଇବା ପାଇଁ ଦୁଃଖରେ ଦିନ କାଟୁଛନ୍ତି। ଯଦି ସରକାରୀ ସହାୟତା ନପାଆନ୍ତି ତେବେ ଆଗାମୀ ଦିନରେ ଏକ ବିରାଟ ଭୁଲ ପାଇଁ ସରକାର ଦାୟୀ ରହିବେ ବୋଲି ଜଣା ପଡିଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ