କେନ୍ଦ୍ରାପଡା: ଚାଲିଯାଇଛି ଫନି, କିନ୍ତୁ ଛାଡି ଯାଇଛି କଷ୍ଟ ଆଉ ଯନ୍ତ୍ରଣା । ଛାରଖାର କରିଦେଇଛି ଘରଦ୍ବାର, ଉଜାଡି ଦେଇଛି ସ୍ବପ୍ନ । ଧନ, ଜୀବନ ହରାଇ ଥିବା ଅଧିକାଂଶ ଏବେ ବାଛି ନେଇଛନ୍ତି ନିଜ ସହ ସଂଘର୍ଷ କରି ବଞ୍ଚିବାର ରାସ୍ତା । ହେଲେ କେନ୍ଦ୍ରାପଡା ଡେରାବିଶ୍ ବ୍ଳକ ଗୁଆଳସିଂ ପଞ୍ଚାୟତ ଅଧିନ ଠାକୁରପାଟଣା ଗାଁର ଦୀପକ ନାୟକ ଓ ପତ୍ନୀ ଲକ୍ଷ୍ମୀପ୍ରିୟା ନାୟକ ବଡ ପୁଅକୁ ହରାଇ ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି । ମାଆ ଆଖିର ଲୁହ ଶୁଖୁନଥିବା ବେଳେ ପୁଅର ଅଭୁଲା ସ୍ମୃତି ସାଉଁଟି ଫାଟି ପଡୁଛି ବାପାର ହୃଦୟ ।
ସେଦିନ ଥିଲା ମେ 3 ତାରିଖ । ଦୀପକଙ୍କ ପୁଅ ରାଜା ଖାଇସାରି ହାତ ଧୋଇବା ପାଇଁ ବାହାରକୁ ଆସିଥିଲା । ଏହି ସମୟରେ ହଠାତ୍ ଏକ ଆମ୍ବଡାଳ ତା’ ଉପରେ ଖସି ପଡିଥିଲା । ସେହି ସ୍ଥାନରେ ଟଳି ପଡିଥିଲା ରାଜା । ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ଡାକ୍ତରଖାନାରେ ରାଜାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର୧୫ ଦିନ ପରେ ଡାକ୍ତରଖାନାରେ ଆଖି ବୁଜି ଥିଲା ରାଜା । ମୃତ୍ୟୁକୁ ୧୫ ଦିନ ବିତିଯାଇଛି । ଏବେ ବି ପ୍ରଶାସନ ପକ୍ଷରୁ ମିଳିନି କୌଣସି ସହାୟତା ବୋଲି ଅଭିଯୋଗ କରିଛନ୍ତି ମୃତ ରାଜାର ପରିବାର । ସେପଟେ କେନ୍ଦ୍ରାପଡା ଜିଲ୍ଲାପାଳ ରାଜାର ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ କହିଛନ୍ତି ।
ମୃତ ରାଜା ଜଣେ ଶାନ୍ତ,ସରଳ,ମେଧାବୀ ଛାତ୍ର ଭାବରେ ଅଞ୍ଚଳରେ ପରିଚିତ ଥିଲେ । ସେ ନିକଟସ୍ଥ ସୁଦର୍ଶନ ଉଚ୍ଚ ବିଦ୍ୟାଳୟ, ଠାକୁରହାଟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିଲା । କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି, ରାଜାର ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ କଟକ ଯାଇଥିବା ବେଳେ ରାଜାର ବାପାଙ୍କୁ ଧୈର୍ଯ୍ୟ ରଖିବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟ ପଟେ ରାଜାର ମୃତ୍ୟୁକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ପରିବାରକୁ ସାହାଯ୍ୟ କରିବାକୁ ଭୁଲି ଯାଇଛି ପ୍ରଶାସନ । ଏନେଇ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ କହିବାନୁଯାୟୀ ରାଜା ଓ ତାଙ୍କ ପରିବାରକୁ 'ଫନି' ସମୟରେ ସହାୟତା କରାଯାଇଛି ଓ ଆଉ ଯେତିକି ସାହାଯ୍ୟର ଆବଶ୍ୟକତା ରହିଛି ତାହା ଅଳ୍ପଦିନ ମଧ୍ୟରେ ଯୋଗାଇ ଦିଆଯିବ ।
ଫନିକୁ ବିତି ଯାଇଛି ଏକ ମାସ । ପରିବାରକୁ ବି ଆଉ ଫେରିବନି ପୁଅ ରାଜା । ଅନ୍ୟ ପଟେ ପ୍ରଶାସନ ସହାୟତାକୁ ଚାତକ ପରି ଚାହିଁ ରହିଛନ୍ତି କେନ୍ଦ୍ରାପଡାର ଦୀପକ ନାୟକଙ୍କ ପରିବାର ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ