କେନ୍ଦ୍ରାପଡ଼ା: ଏହି ଦୃଶ୍ୟ ଗୁଡିକ ବୟାନ କରୁଛି ସରକାରୀ ଯୋଜନାର ସଫଳ ରୂପାୟନ କେତେଦୂର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାରେ। କେନ୍ଦ୍ରାପଡ଼ା କଂସାର ପଞ୍ଚାୟତ ଚନ୍ଦନପୁର ଜେନାସାହି ନାମକ ଏହି ଦଳିତ ଗାଁଟିରେ ୧୦ରୁ ଉର୍ଦ୍ଧ୍ବ ପରିବାରର ୫୦ଜଣ ଲୋକ ବାସ କରନ୍ତି। ଏମାନଙ୍କର ଦୁର୍ଭାଗ୍ୟ ଯେ ୭ପିଢ଼ି ଧରି ରହି ଆସୁଥିବା ଏହି ଗାଁଟିରେ ନା ଅଛି ନିତିଦିନିଆ ରାସ୍ତା ନା ଜଳୁଛି କାହା ଘରେ ବିଜୁଳି ଆଲୁଅ। ସମସ୍ୟା ଯୋଗୁଁ ଗାଁ ଛାଡିଲେଣି ଅନେକ ପରିବାର। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଏହି ଗାଁଟିକୁ ଲୋକମାନେ ପାଟନାଳୀ ପାର ହୋଇ ଯାଆସ କରିଥାନ୍ତି।ସାମାନ୍ୟ ବର୍ଷା ହେଲେ ଗାଁଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ।
ଆଉ ବର୍ଷା ହେଲେ ଗାଁ ପିଲାମାନଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଯାଏ।ପ୍ରସୂତି ମାନଙ୍କୁ ନିଜର ବାପଘରେ ରଖାଯାଇ ପ୍ରସବ କରାଯାଉଥିବା ବେଳେ ଯଦି ରାତି ଅଧରେ କାହା ଦେହ ଖରାପ ହୋଇଯାଏ ତେବେ କଥା ଶେଷ। ତେବେ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ତିଆରି ହୋଇ ପାରୁନଥିବା ସମ୍ପର୍କରେ ବାରମ୍ବାର ପ୍ରଶାସକ ଓ ଶାସକଙ୍କୁ ଗୁହାରି କରୁଥିଲେ ମଧ୍ୟ ଫଳ ଶୂନ। ନିର୍ବାଚନ ସମୟରେ ନେତା ହାତ ଯୋଡି ଗାଁକୁ ରାସ୍ତା ଓ ବିଜୁଳି ଆଲୁଅ ଯୋଗାଇ ଦେବୁ ବୋଲି ପ୍ରତିଶ୍ରୁତି ଦେଇ ଯାଉଥିବା ବେଳେ ନିର୍ବାଚନ ଶେଷ ହେଲେ "କାଶିଆ କିଏ ନା କପିଳା କିଏ"ଭଳି ବ୍ୟବହାର କରିଥାନ୍ତି ଏମାନଙ୍କ ସହିତ।
ବିଦ୍ୟୁତ ବିଭାଗ ପକ୍ଷରୁ ଏଠାକାର ଲୋକମାନଙ୍କୁ ମିଟର ଓ ଇଲେକ୍ଟ୍ରିକ କିଟ ଯୋଗାଇ ଦିଆଯାଇଥିଲେ ମଧ୍ୟ ଖୁଣ୍ଟ ଓ ତାର ଟଣା ଯାଇନଥିବାରୁ ବିଦ୍ୟୁତ ବତୀ ଏମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି। ଅନ୍ୟପଟେ ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ବିଡ଼ିଓଙ୍କୁ କହି ଘଟଣାସ୍ଥଳ ପରିଦର୍ଶନ କରିବେ ଓ ଏହାପରେ ଆନୁଷଙ୍ଗିକ ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି,SCP ଫଣ୍ଡ ଅର୍ଥାତ ଦଳିତ ମାନଙ୍କ ପାଇଁ ଉପଲବ୍ଧ ରହିଥିବା ଜମାରାଶିକୁ ପ୍ରଶାସନ କିପରି ଖର୍ଚ୍ଚ କରୁଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ