କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ବଢିଚାଲିଛି ସରକାରୀ ଦୁର୍ନୀତି । ଗ୍ରାମାଞ୍ଚଳର ଲୋକମାନଙ୍କୁ ଆର୍ଥିକ ସକ୍ଷମ କରାଇବା ଉଦ୍ଦେଶ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପଞ୍ଚାୟତ ସ୍ତରୀୟ କାମ ଯୋଗାଇ ଦେଇ ରାଜ୍ୟ ଓ କେନ୍ଦ୍ର ସରକାର ବାହାବା ନେବା ପାଇଁ ଚେଷ୍ଟା କରୁଛି । ହେଲେ ବାସ୍ତବିକ ଏହା କେତେ ଫଳପ୍ରଦ ହେଉଛି ସେନେଇ ପ୍ରଶ୍ନ ଉଠିଛି ।
କେନ୍ଦ୍ରାପଡ଼ା ବ୍ଲକ ବାରୁଅ ପଞ୍ଚାୟତରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିର ପ୍ରତିବାଦ କରି ଆଜି ଶହଶହ ପଞ୍ଚାୟତ ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ବାରୁଅ ପଞ୍ଚାୟତରେ ଅବସ୍ଥିତ ନବୋଦୟ ବିଦ୍ୟାଳୟକୁ କେନ୍ଦ୍ର ସରକାର ଲକ୍ଷଲକ୍ଷ ଟଙ୍କା ଦେଉଥିବା ବେଳେ ସେଠାରେ ଥିବା ଖେଳ ପଡ଼ିଆରେ ପଞ୍ଚାୟତ ପକ୍ଷରୁ ଲକ୍ଷାଧିକ ଟଙ୍କା ବିନିଯୋଗ ହୋଇଥିବା ଅଭିଯୋଗ ହୋଇଛି ।
ସେହିପରି ବାରୁଅ ଖେଳପଡ଼ିଆରେ ହୋଇଥିବା କାମରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଓ ବିଭିନ୍ନ ପାର୍କ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ମୂଲ୍ୟର ଗଛକୁ କାଟି ଦିଆଯାଇଥିବାବେଳେ ଏନେଇ କୌଣସି ପ୍ରଶାସନିକ ଅଧିକାରୀ ତତ୍ପରତା ଦେଖାଇ ନାହାଁନ୍ତି, ଯେତେବେଳେ କି ଅଧିକାରୀଙ୍କ ସ୍ୱାକ୍ଷର ବିନା ଏହି କାର୍ଯ୍ୟ କରିବା ଅସମ୍ଭବ । ତେଣୁ, ସମସ୍ତ କାଗଜପତ୍ରର ତଦାରଖ କରି ସରକାରୀ ଅର୍ଥକୁ ଫେରାଇ ଆଣିବା ପାଇଁ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ଜନସାଧାରଣ ଦାବି କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ