କେନ୍ଦ୍ରାପଡ଼ା: ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଲେ ଫାଷ୍ଟଟ୍ରାକ କୋର୍ଟ । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡର ରାୟ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତ୍ରିବିକ୍ରମ ଚିନ୍ନାରା ।
ଅଭିଯୋଗ ଅନୁଯାୟୀ ୨୦୧୯ ମସିହା ନଭେମ୍ବର ୭ ତାରିଖ ଅପରାହ୍ନରେ କେନ୍ଦ୍ରାପଡ଼ା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ସ୍ବାମୀ ପରିତ୍ୟକ୍ତା ଦୁଷ୍କର୍ମର ଶିକାର ହୋଇଥିଲେ । ସେ ନିଜ ବାପଘରେ ରହୁଥିବା ବେଳେ ଘରେ ପୀଡ଼ିତାଙ୍କ ମା’ ବାପା ନଥିବା ଜାଣିପାରି ଦୋଷୀ ରାମନଗର ଗାଁର ବଙ୍କିମ ମଣ୍ଡଳ କବାଟ ବାଡେଇ ଥିଲେ । ପୀଡିତା ଜଣଙ୍କ କବାଟ ଖୋଲିବା ପରେ ଦୋଷୀ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲା । ତେବେ ପୀଡିତା ଜଣଙ୍କ ଘଟଣା ସମ୍ପର୍କରେ କାହାରିକୁ କହିଲେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା ଦୋଷୀ ବଙ୍ଗିମ ।
ଏନେଇ ଜମ୍ବୁ ଥାନାରେ ଏତଲା ଦିଆଯିବା ପରେ ପୋଲିସ ୧୨୧/୨୦୧୯ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଦୁଷ୍କର୍ମ ଘଟଣାରେ ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଦଫା ୩୭୬ (କ) ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସାଙ୍ଗକୁ ୨୦ ହଜାର ଟଙ୍କା ଜୋରିମାନା ଓ ଦଫା ୪୫୦ ରେ ୧୦ ବର୍ଷ ଜେଲଦଣ୍ଡ ସାଙ୍ଗକୁ ୨୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡର ରାୟ ଶୁଣାଇଛନ୍ତି ବିଚାରପତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଓକିଲ ସଞ୍ଜୟ ଜେନା ପରିଚାଳନା କରୁଥିଲେ । ଫାର୍ଷ୍ଟଟ୍ରାକ କୋର୍ଟରେ ତ୍ବରିତ ନ୍ୟାୟ ପାଇଁ ଉଭୟ ବିଚାରପତି ଏବଂ ସରକାରୀ ଓକିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ପିଡ଼ିତାଙ୍କ ପରିବାର ।
ଇଟିଭି ଭାରତ, କେନ୍ଦ୍ରାପଡ଼ା