କେନ୍ଦ୍ରାପଡା: ରାଜ୍ୟର ସର୍ବ ପୁରାତନ ଏବଂ ପ୍ରଥମ ପୌରପାଳିକା ଉପରେ ଏବେ ସର୍ବ ବୃହତ୍ତ ଦୁର୍ନୀତିଗ୍ରସ୍ତ ପୌରପାଳିକାର ଟ୍ୟାଗ୍ ଲାଗିଲାଣି । ଦୀର୍ଘଦିନ ଧରି ଏଠାକାର କର୍ମଚାରୀଙ୍କ ବଦଳି ହେଉନଥିବାରୁ ଦୁର୍ନୀତିର ଚେର ଭିତରକୁ ଲମ୍ବିଥିବା ଅଭିଯୋଗ ହୋଇଛି । ଜଣେ ଜଣେ କର୍ମଚାରୀ ଏଠାରେ 30 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଅଛନ୍ତି । କର୍ମଚାରୀଙ୍କ ମଧ୍ୟରେ 'ରାଧେ ରାଧେ, ତମର ଅଧେକୁ ଆମର ଅଧେ' ଏହି ଆଧାରରେ ଦୁର୍ନୀତି ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । ଆମେ କହୁଛୁ ରାଜ୍ୟର ସର୍ବ ପୁରାତନ ପୌରପାଳିକା କେନ୍ଦ୍ରାପଡା କଥା ।
ବିଭିନ୍ନ ସମୟରେ ବିବାଦ କେନ୍ଦ୍ରାପଡା ମ୍ୟୁନିସିପାଲିଟିର ପିଛା ଛାଡୁ ନ ଥିବାବେଳେ ଏବେ ସୂଚନା ଅଧିକାର ଆଇନରୁ ମିଳିଛି ଆଶ୍ଚର୍ଯ୍ୟକର ତଥ୍ୟ । ଏଠାକାର କର୍ମଚାରୀଙ୍କ ଆଦୌ ବଦଳି ହୋଇନାହିଁ । କେତେକ ଏହିଠାରେ ଚାକିରି ଆରମ୍ଭ କରି ଅବସର ନେବାକୁ ବସିଲେଣି ତ ଆଉ କେତେ ଜଣ 10 ବର୍ଷରୁ ଊର୍ଦ୍ଧ୍ବ ହେବ ଏଠାରେ ଅଛନ୍ତି । କୌଣସି କର୍ମଚାରୀ 3 ବର୍ଷରୁ ଊର୍ଦ୍ଧ୍ବ ସମୟ ଗୋଟିଏ ଅଫିସରେ ରହିପାରିବେ ନାହିଁ ବୋଲି ନିର୍ଦ୍ଧାରିତ ଆଇନ ଥିବାବେଳେ ଏପରି କ୍ଷେତ୍ରରେ ମ୍ୟୁନିସିପାଲିଟି କର୍ମଚାରୀଙ୍କ ବଦଳି ନହେବା ଏକପ୍ରକାର ସନ୍ଦେହ ସୃଷ୍ଟି କରିଛି । ସୂଚନା ଅଧିକାର ଆଇନ ବଳରେ ଗତ ମେ ୨୨ ତାରିଖ ଦିନ ମ୍ୟୁନିସିପାଲିଟିରେ କାର୍ଯ୍ୟରତ କର୍ମଚାରୀଙ୍କ ତଥ୍ୟ ମଗାଯାଇ ଥିବାବେଳେ ଜନ ସୂଚନା ଅଧିକାରୀ(PIO)ଙ୍କ ପକ୍ଷରୁ ଏହାର ଉତ୍ତର ଜୁନ ୨୪ତାରିଖ ଦିନ ଲିଖିତ ଭାବେ ପ୍ରଦାନ କରାଯାଇଛି । ତେବେ ମ୍ୟୁନିସିପାଲିଟି ଅଧୀନରେ ୱାର୍କଚାର୍ଜ ଭାବେ କାମ କରୁଥିବା ଅମର ନାୟକଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରିନାହିଁ ମ୍ୟୁନିସିପାଲିଟି ଯାହାକି ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ଭଳି ଅଭିଯୋଗ ଆସିଛି । ଅମର ଜଣେ କର୍ମତତ୍ପର କର୍ମଚାରୀ ଓ ଅନେକ ସମୟରେ ମ୍ୟୁନିସିପାଲିଟିରେ ହେଉଥିବା ଦୁର୍ନୀତିକୁ ବିରୋଧ କରୁଥିବାରୁ ଜାଣିଶୁଣି ତାଙ୍କ ନାମକୁ କାଟି ଦିଆଯାଇଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ବିରୋଧି ଦଳ ।
ସେହିପରି ଡ୍ରେନେଜ ଅସୁବିଧା, କଂକ୍ରିଟ ରାସ୍ତା ଉପରେ ପିଚୁ ରାସ୍ତା ତିଆରି, ଜଳ ନିଷ୍କାସନ ସମସ୍ୟା ଓ ବିଭିନ୍ନ ପ୍ରକାର ଆବାସ ଯୋଜନାରେ ସମସ୍ୟା ରହି ଥିବାବେଳେ ପ୍ରଶାସନିକ ଅଧିକାରୀ ଏଗୁଡ଼ିକୁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏସବୁ ସମସ୍ୟା ନେଇ ନିର୍ବାହୀ ଅଧିକାରୀ ଭିନ୍ନ ମତ ପୋଷଣ କରିଛନ୍ତି। ଗତ କିଛିବର୍ଷ ମଧ୍ୟରେ ରାସ୍ତାଘାଟ ଅବସ୍ଥା ସୁଧୁରିଛି, ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କରାଯାଇ ଲୋକମାନଙ୍କ ମୌଳିକ ସମସ୍ୟାର ସମାଧାନ କରାଯାଇଛି ବୋଲି କହି ଥିବାବେଳେ ଦୀର୍ଘ ବର୍ଷର ଚାକିରୀକୁ ନେଇ ଉପରିସ୍ଥ ଅଧିକାରୀ ପଦକ୍ଷେପ ନେବେ ବୋଲି କହିଛନ୍ତି । ସେହିପରି କର୍ମଚାରୀ ଅମର ନାୟକଙ୍କ ତାଲିକାରେ ନାଁ ନଥିବା ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ଯାହା ତଥ୍ୟ ଦିଆଯାଇଛି ସେନେଇ ସେ ଅଜ୍ଞ ବୋଲି କହିଛନ୍ତି ।
ସେପଟେ ମ୍ୟୁନିସିପାଲିଟିରେ 5T ଯୋଜନା କାର୍ଯ୍ୟକାରୀ ହୋଇ ପାରୁନଥିବା ବିଜେପି ଅଭିଯୋଗ କରିବା ସହ ଏହା ବିରୋଧରେ ଆନ୍ଦୋଳନ ତୀବ୍ର ହେବ ବୋଲି କଡା ଚେତାବନୀ ଦେଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ