କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଦଳିତ ବିରୋଧ ଅଭିଯୋଗ ଆଣିଛି ବିଜେପି ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା । ଜଗତସିଂହପୁରରେ ଆନ୍ଦୋଳନରତ ମହିଳାଙ୍କୁ ଆକ୍ରମଣ ଓ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତି ଭାଙ୍ଗିଥିବା ବିଜେଡ଼ି କର୍ମୀଙ୍କୁ ସରକାର ଗିରଫ ନ କରିଥିବାରୁ ଏହାର ପ୍ରତିବାଦରେ ସାରା ରାଜ୍ୟରେ ଆନ୍ଦୋଳନ କରୁଛି ବିଜେପି । ଏହି କ୍ରମରେ ଆଜି(ମଙ୍ଗଳବାର) ବିଜେପି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।
କେନ୍ଦ୍ରାପଡ଼ା ଆଳି ବାଳକାଟି ପଞ୍ଚାୟତରେ ଦଳିତ ପରିବାରକୁ ଆକ୍ରମଣ, ଜଗତସିଂହପୁର ନାଉଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା ଟଙ୍କା ହେରଫେର ଘଟଣାରେ ନ୍ୟାୟ ପାଇବା ପାଇଁ ଆନ୍ଦୋଳନରତ ମହିଳାଙ୍କୁ ବିଳମ୍ବିତ ରାତିରେ ଆକ୍ରମଣ ଓ ସମ୍ବିଧାନ ପ୍ରଣେତା ଡ଼ଃ ଆମ୍ବେଦକରଙ୍କ ମୂର୍ତ୍ତି ଭଙ୍ଗାଯିବା ଭଳି ୨ଟି ଘଟଣାରେ ବିଜେଡି ଦଳର କର୍ମୀ ଓ ନେତା ସଂପୃକ୍ତ ଥିବା ବିଜେପି ଅଭିଯୋଗ କରିଛି । ପୋଲିସ ସେମାନଙ୍କୁ ଗିରଫ ନକରି ଟାଳଟୁଳ ନୀତି ଅବଲମ୍ବନ କରିବାରୁ ଏହାକୁ ଜୋରଦାର ପ୍ରତିବାଦ କରିଛି ବିଜେପି । ଏଥିଲାଗି ଚଳିତମାସ ୯,୧୦ ଓ ୧୧ ତାରିଖରେ ସାରା ରାଜ୍ୟରେ ବିଜେପି ଅନୁସୂଚିତ ଜାତି ଓ ଜନଜାତି ଆନ୍ଦୋଳନ କରୁଛି ।
ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଏକ ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ବାଳକାଟି ଦଳିତ ପରିବାରକୁ ଆକ୍ରମଣ ଘଟଣାରେ ବିଜେପି ଦୀର୍ଘ ଏକ ସପ୍ତାହ ପର୍ଯ୍ୟନ୍ତ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଏସପି ଏହି ଘଟଣାର ନିରପେକ୍ଷ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ଭଙ୍ଗ କରାଯାଇଥିଲା ।
ମାତ୍ର ଏହି ଘଟଣାକୁ ୪୦ ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କୁ ଗିରଫ କରାଯାଇନାହିଁ । ସେପଟେ ଆଳି IIC ସଲିଲ ପ୍ରଧାନଙ୍କୁ ଟ୍ରାନ୍ସଫର କରାନଯିବା ଏବଂ ଦଳିତ ପରିବାର ବିରୋଧରେ ଲଗାଯାଇଥିବା ମାମଲାକୁ ଖାରଜ କରାଯାଇନଥିବାରୁ ବିଜେପି ଆଜି ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦେଇଛି । କିନ୍ତୁ ଆଗକୁ ବିଜେପି ଅନୁସୂଚିତ ଜାତି ଓ ଉପଜାତି ଆଇନ ଅମାନ୍ୟ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସଭାପତି ବିଭୁ ତରାଇ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ