କେନ୍ଦ୍ରାପଡା: ବୈଜୟନ୍ତଙ୍କବିଜେପିରେ ଯୋଗଦାନ ପରେ କ'ଣ ପଡିବ ପ୍ରଭାବ । କେନ୍ଦ୍ରାପଡା ରାଜନୀତିରେ କ'ଣ ରହିବ ବୈଜୟନ୍ତଙ୍କ ଭୂମିକା । ବିଜେଡିକୁ ମହଙ୍ଗା ପଡିବ କି ମାହାଙ୍ଗା ଅଣ୍ଡା । ଏବେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି । ଆଉ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡା ବିଜେଡିର ବହୁ ଟାଣୁଆ ନେତା । ଉପରୁ ଉପରୁ କିଛି ପ୍ରଭାବ ପଡିବନି କହୁଥିଲେ ବି ବିଜେଡି ନେତାଏ ଠିକ ବୁଝିଛନ୍ତି ଏବେ କେନ୍ଦ୍ରାପଡା ବିଜୟ ଏତେ ସହଜ ନୁହେଁ ।
ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି, ବୈଜୟନ୍ତଙ୍କ ବିଜେପିରେ ଯୋଗଦାନ ଦଳ ଉପରେ କୌଣସି ପ୍ରଭାବ ପଡିବନି । କାରଣ ସେ କେନ୍ଦ୍ରାପଡା ବାସିନ୍ଦା ନୁହଁନ୍ତି । ସେମିତିରେ ବି ବୈଜୟନ୍ତ ଜଣେ ସୁବିଧାବାଦୀ ନେତା ବୋଲି କହିଛନ୍ତି ପ୍ରତାପ ।
ସେହିପରି ଦଳର ଉପସଭାପତି ବେଦ ପ୍ରକାଶ ଅଗ୍ରୱାଲ ଭିନ୍ନ ଇସାରା ଦେଇଛନ୍ତି । ଯଦି ନବୀନ ପଟ୍ଟନାୟକ ଠିକ ନିଷ୍ପତ୍ତି ନେବେ, ତେବେ ବୈଜୟନ୍ତଙ୍କ ବିଜେପିରେ ସାମିଲ ହେବାର କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି ବେଦ ପ୍ରକାଶ । ତାଙ୍କର ଏଭଳି ମନ୍ତବ୍ୟ ଯେ ଟିକେଟ ବଣ୍ଟନ ନିଷ୍ପତ୍ତି ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି, ତାହା ସ୍ପଷ୍ଟ ହେଉଛି ।
ଅନ୍ୟପଟେ ଗୋଟିଏ ଦଳରେ ଥିବା ବେଳେ ବୈଜୟନ୍ତଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କୁହାଯାଉଥିବା ଜିଲ୍ଲାର ହେଭିୱେଟ ନେତା ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବା କଥା ହେଲା, ବର୍ତ୍ତମାନ ବୈଜୟନ୍ତ ବିଭିନ୍ନ ସ୍ଥାନ ଯାଇ ଆଇନ ଶୃଙ୍ଖଳା ବିଷୟରେ ଜ୍ଞାନ ଦେଉଛନ୍ତି । ହେଲେ ଯେତେବେଳେ ବିଜେଡି ଟିକେଟରେ ସାଂସଦ ଭାବରେ ଲଢୁଥିଲେ ସେତେବେଳେ କାହିଁକି ଏକଥା ଉଠାଉ ନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଯେହେତୁ ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ପାଖରେ କହିବାକୁ କୌଣସି ଶବ୍ଦ ନାହିଁ ତେଣୁ ସେ ବର୍ତ୍ତମାନ ଏଭଳି ଅନେକ ଗୁଡିଏ କଥା କହିବେ ବୋଲି କହିଛନ୍ତି ଅତନୁ ।
ଏପଟେ କିନ୍ତୁ ବୈଜୟନ୍ତ କହିଛନ୍ତି, ଓଡ଼ିଶାର ସ୍ବାଭିମାନ ପାଇଁ ଯେଉଁ ଦଳ ତାଙ୍କ ସହ ରହିବ ସେ ସେହି ଦଳକୁ ଯିବେ ବୋଲି ପୂର୍ବରୁ କହିଥିଲେ । ତେବେ ବିଜେପିରେ ତାଙ୍କର ସ୍ବାଭିମାନ ଅକ୍ଷୁର୍ଣ୍ଣ ରହୁଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ