କେନ୍ଦ୍ରାପଡ଼ା: ସମବାୟ ନିର୍ବାଚନରେ ବ୍ୟାପକ ଚଞ୍ଚକତା ଅଭିଯୋଗ । କେନ୍ଦ୍ରାପଡା ଯଦୁପୁର କୃଷି ପ୍ରାଥମିକ ସମବାୟ ସମିତିରେ ଦୀର୍ଘବର୍ଷ ଧରି ନିର୍ବାଚନରେ ମତଦାନ କରି ଆସୁଥିବା ସଦସ୍ୟ ମାନଙ୍କ ନାମକୁ ଉଦ୍ଦେଶ୍ୟମୂଳକ ଭାବେ କଟାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଅନେକ ଚାଷୀ ସଦସ୍ୟ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।
ଦୀର୍ଘଦିନ ଧରି ଏମାନେ ସମବାୟ ସମିତିର ସଦସ୍ୟ ହୋଇ ରହିଥିଲେ । ମାତ୍ର ଚଳିତ ସମବାୟ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟର ତାଲିକାରୁ ସେମାନଙ୍କ ନାଁ କଟାଯିବାକୁ ନେଇ ଅନେକ ଚାଷୀ ସଦସ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ବର୍ତ୍ତମାନର ସମ୍ପାଦକ ଦାୟିତ୍ବରେ ଥିବା ସହ ସମ୍ପାଦକ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ଅଭିଯୋଗ କରିଛନ୍ତି ।
ଏହି ସମବାୟ ସମିତିରେ ବ୍ୟାପକ ଜାଲିଆତି କରି ପୂର୍ବରୁ ସମ୍ପାଦକ ନିଲମ୍ବିତ ହୋଇଛନ୍ତି । ତେବେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରି ଶତାଧିକ ଭୋଟରଙ୍କୁ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସମବାୟ ନିର୍ବାଚନରେ ମତଦାନ କରାଇବା ବନ୍ଦୋବସ୍ତ ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ସଦସ୍ୟମାନେ ଅନୁରୋଧ କରିବା ସହ ଦୁର୍ନୀତିମୁକ୍ତ ନିର୍ବାଚନ ପରିଚାଳନା ପାଇଁ ଅନ୍ୟଜଣେ ସମ୍ପାଦକଙ୍କୁ ଦାୟିତ୍ବ ଦେବା ପାଇଁ ସେମାନେ ଦାବି କରିଛନ୍ତି ।