ଭୁବନେଶ୍ବର: ପାଟକୁରାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ତିନି ପ୍ରମୁଖ ଦଳର ବିଧାୟକ । ବିଜେଡିର ଏହି ବିପୁଳ ବିଜୟ ପାଇଁ କୃଷିମନ୍ତ୍ରୀ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ସାଧରାଣ ନିର୍ବାଚନରେ ପାଟକୁରାରେ ବିଜେଡି 6 ହଜାର ଭୋଟ ପଛରେ ଥିଲା । ଏହି ନିର୍ବାଚନରେ ତିନିଗୁଣା ଅଧିକ ଭୋଟ ପାଇଛି। ଥରେ ଜଣେ ନେତା ପାଟକୁରା, ତାପରେ ମହାକାଳପଡା ଓ ପୁଣି ପାଟକୁରାରୁ ଲଢ଼ିବା କଣ ସ୍ବାଭିମାନର ଲଢେଇ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ଏହି ନିର୍ବାଚନରେ ଅମାନତ ହରାଇଛି । ଏହାର ସମୀକ୍ଷା ହେବ ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେଡି ଏହି ନିର୍ବାଚନରେ ସରକାରୀ କଳ ଓ ବାହୁବଳର ବ୍ୟାପକ ବ୍ୟବହାର କରିବା ସହ ଭୋଟ ପିଛା 5000 ଟଙ୍କା ବାଣ୍ଟିଛନ୍ତି । ବିଜେପି ମଧ୍ୟ ଭୋଟ ପିଛା 2ରୁ 3 ହଜାର ଟଙ୍କା ବାଣ୍ଟିଛି । ବିଜେଡି 30ରୁ 35 ହଜାର ଭୋଟ ବ୍ୟବଧାନ ଆଶା କରିଥିବା ବେଳେ ବ୍ୟବଧାନ କମିଛି, ଏହା ତାଙ୍କୁ ଶକ୍ତ ଧକ୍କା ବୋଲି କଟାକ୍ଷ କରିଛନ୍ତି ତାରା
ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ସରକାରୀ ଦଳର ବ୍ୟାପକ ଅର୍ଥ ଓ ବାହୁବଳକୁ ଦାୟୀ କରିଛନ୍ତି । ବିଜେପି ଏହି ନିର୍ବାଚନ ଜିତିବା କଥା । କିନ୍ତୁ କାହିଁକି ହାରିଲା ତାର ସମୀକ୍ଷା ହେବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ