କେନ୍ଦ୍ରାପଡା: ମହଙ୍ଗା ପଡିଛି ଚୋରା ମଦ କାରବାରକୁ ବିରୋଧ । ଗାଁରେ ଏକ ସୁସ୍ଥ ବାତାବରଣ ପାଇଁ ମଦକୁ ବିରୋଧ କରିବାରୁ ଚୋରାମଦ ବ୍ୟବସାୟୀ ଓ ତାର ସହଯୋଗୀମାନେ ଏସିଡ ଫୋପାଡ଼ି ଗୁରୁତର କରିଛନ୍ତି ଯୁବକଙ୍କୁ । ଗତବର୍ଷ ଅକ୍ଟୋବର ୯ ତାରିଖରେ ଏପରି ଘଟଣା ଘଟିଥିଲା ମାର୍ଶାଘାଇ ଥାନା ପାଟଳିପଙ୍କ ଗାଁର ହିମାଂଶୁ ବାରିକଙ୍କ ଜୀବନରେ । ଦୁଇଝିଅ ଓ ତାଙ୍କ ସ୍ତ୍ରୀ ଘରର ଝରକା ଖୋଲି ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଖୋଲା ଝରକା ମଧ୍ୟଦେଇ ହିମାଂଶୁ ଓ ପରିବାର ଲୋକଙ୍କ ଉପରକୁ ଏସିଡ ପକାଇଥିଲେ ।
ଫଳରେ ହିମାଂଶୁଙ୍କ ଶରୀରର ୮୦ ପ୍ରତିଶତ ଅଂଶ ପୋଡିଯାଇଥିବା ବେଳେ ଆଖି ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଛି । ଯନ୍ତ୍ରଣା ଜର୍ଜରିତ ଶରୀର ଓ ଆଖିପାଇଁ ବ୍ୟତିବ୍ୟସ୍ତ ହିମାଂଶୁ । ସାରା ଜୀବନ ପରିଶ୍ରମ କରି ଯେଉଁ ୧୧ ଲକ୍ଷ ଟଙ୍କାର ପୁଞ୍ଜି ରଖିଥିଲେ ତାହା ଡାକ୍ତରଖାନାରେ ଖର୍ଚ୍ଚ ହୋଇଗଲାଣି । ସେପଟେ ଆଉ ଖର୍ଚ୍ଚ କରିବା ପାଇଁ ସମ୍ବଳ ନଥିବାରୁ ଜିଲ୍ଲାପାଳଙ୍କ ଦୁଆରକୁ ସାହାଯ୍ୟ ପାଇଁ ଧାଇଁ ଆସିଛନ୍ତି ହିମାଂଶୁଙ୍କ ସହିତ ତାଙ୍କର ବାପା ଓ ମା ।
ଏହି ଘଟଣା ପରେ ହିମାଂଶୁଙ୍କ ପରିବାରକୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଠିକ ଭାବରେ ମିଳୁନଥିବା ବେଳେ ଦୁଇ କୁନି ଝିଅଙ୍କର ଭବିଷ୍ୟତ ଅନ୍ଧକାରମୟକୁ ଠେଲି ହୋଇଯାଇଛି । ପ୍ରଥମେ ଏହି ଏସିଡ ଆକ୍ରମଣର କାରଣ ଗାଁର ଜଣେ ଯୁବକଙ୍କର ପ୍ରେମକୁ ବିରୋଧ କରିବା ଶୁଣାଯାଉଥିଲେ ମଧ୍ୟ ବର୍ତ୍ତମାନ ହିମାଂଶୁଙ୍କର ପରିବାର ଘଟଣା ଉପରୁ ପରଦା ଉଠାଇଛନ୍ତି ।
ଡାକ୍ତରଙ୍କର ଚିକିତ୍ସାରେ ଶରୀରର କ୍ଷତ ସ୍ଥାନ ଗୁଡିକ ଶୁଖିଆସିଥିଲେ ମଧ୍ୟ ରୋଜଗାରିଆ ହିମାଂଶୁଙ୍କର ଆଖି ଦୁଇଟି ସମ୍ପୂର୍ଣ୍ଣ ଭାବରେ ଅନ୍ଧକାର ହୋଇଯାଇଥିବାରୁ ସ୍ତ୍ରୀ ମିନତୀ ଓ ଦୁଇ ଝିଅଙ୍କ ସମେତ ବାପା ଓ ମା'ଙ୍କ ଆଖିରୁ ଲୁହ ଶୁଖୁନି । ଏଭଳି ସ୍ପର୍ଶକାତର ଘଟଣା ପରେ ମାର୍ଶାଘାଇ ପୋଲିସ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଥିଲା । କିନ୍ତୁ ହିମାଂଶୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଓ ପରିବାରବର୍ଗ ତାଙ୍କ ପାଖରେ ରହିଥିବାରୁ ପୋଲିସକୁ ଉପଯୁକ୍ତ ପ୍ରମାଣ ମିଳିନଥିଲା ଯେଉଁଥିପାଇଁ ଅଭିଯୁକ୍ତ ମାନେ ଜାମିନରେ ଆସି ବର୍ତ୍ତମାନ ହିମାଂଶୁଙ୍କର ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ ଏସିଡ ଭଳି ଏକ ଜୀବନ ନଷ୍ଟକାରୀ ଜିନିଷ ଦୁର୍ବୃତ୍ତମାନେ କେଉଁଠାରୁ ଆଣିଲେ ସେନେଇ ପୋଲିସ ତଦନ୍ତ ନକରି ଅଭିଯୁକ୍ତମାନଙ୍କୁ ଖସିବାର ବାଟ ବତାଇଥିବା ନେଇ କହିଛନ୍ତି ହିମାଂଶୁ । ମୋଟ ତିନି ଜଣ ଅଭିଯୁକ୍ତଙ୍କ ଭିତରୁ ଦୁଇଜଣ ଫେରାର ଥିବାବେଳେ ଜଣଙ୍କୁ ଗିରଫ କରିଥିଲା ପୋଲିସ୍ । ଆଉ ଏବେ ଉକ୍ତ ଅଭିଯୁକ୍ତକୁ ମିଳିଛି ଜାମିନ । ଜେଲ୍ରୁ ଫେରିବା ପରେ ହିମାଂଶୁଙ୍କୁ ହତ୍ୟାର ଧମକ ମଧ୍ୟ ମିଳୁଛି । ଏସବୁ ପରେ ମଧ୍ୟ ହାତ ବାନ୍ଧି ବସିଛି ପୋଲିସ୍ । ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ ନିକଟରେ ଅଭିଯୋଗ ହେବାପରେ,ଏସିଡ ଆକ୍ରମଣରେ ପୀଡିତ ହିମାଂଶୁଙ୍କର ଚିକିତ୍ସା ପାଇଁ ରେଡକ୍ରସ୍ ତରଫରୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ଚିକିତ୍ସା ପାଇଁ ଦରକାର ଅର୍ଥକୁ ଜିଲ୍ଲା ପ୍ରଶାସନ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେବାପରେ ହିମାଂଶୁଙ୍କର ଆଶା ସେ ପୁଣିଥରେ ଦୁନିଆ ଦେଖିବେ । କିନ୍ତୁ ଏତେ କଟକଣା ପରେ ମଧ୍ୟ ଯଦି ଦୁର୍ବୃତ୍ତମାନେ ଏସିଡ ପକାଇ ଖସି ଯାଇପାରୁଛନ୍ତି ତେବେ ଏଠାରେ ପୋଲିସ ଉପରୁ ଆସ୍ଥା ଉଠିବାକୁ ନେଇ ମତ ଦେଇଛନ୍ତି ବୁଦ୍ଧିଜୀବୀ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ