କେନ୍ଦ୍ରାପଡ଼ା: କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଯୁବକ ଗିରଫ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ଛାତ୍ରୀ ନିବାସର ଜନୈକା ଛାତ୍ରୀଙ୍କୁ ଟ୍ୟୁସନ ଯାଉଥିବାବେଳେ ଜଣେ ଯୁବକ ଉଠାଇ ନେଇଥିଲେ । ଅପହୃତା ଛାତ୍ରୀଙ୍କୁ ବାଲେଶ୍ଵର ଦୀଘା ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଅପହରଣକାରୀ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ରାଜକନିକା ପୋଲିସ ।
ଅଭିଯୋଗ ଅନୁଯାୟୀ, ଜନୈକା ଛାତ୍ରୀ +୩ ଛାତ୍ରୀ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ଛାତ୍ରୀ ନିବାସରେ ରହି ପାଠ ପଢ଼ୁଥିଲେ । ଭଦ୍ରକ ଧାମରା ଅଞ୍ଚଳର ଜଣେ ଯୁବକ ସମ୍ପୃକ୍ତ ଛାତ୍ରୀଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିଲେ । ତେବେ ଛାତ୍ରୀଜଣଙ୍କ ଏହାକୁ ଅଣଦେଖା କରୁଥିଲେ । ଗତ ମଙ୍ଗଳବାର ସକାଳୁ ଟ୍ୟୁସନ ଯାଉଥିବା ସମୟରେ କଲେଜ ଫାଟକ ସମ୍ମୁଖରେ ଅପହରଣକାରୀ ଯୁବକ ଓ ତାଙ୍କ ସମ୍ପର୍କୀୟ ଏକ କାର୍ ଯୋଗେଁ ଅପହରଣ କରିଥିଲେ ।
ଛାତ୍ରୀଜଣଙ୍କୁ ଅପହରଣ କରାଯାଇଥିବା ନେଇ କଲେଜ ଅଧ୍ୟକ୍ଷା ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାମଲାକୁ ଗୁରୁତର ଭାବେ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରାଜକନିକା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ରାଜ୍ୟ ବାହାରକୁ ଯିବା ପାଇଁ ସୁଚିନ୍ତିତ ଯୋଜନା କରିଥିବା ଯୁବକଙ୍କୁ ଗିରଫ କରିବା ସହ ଛାତ୍ରୀଙ୍କୁ ଉଦ୍ଧାର କରିବାରେ ପୋଲିସ ସଫଳ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର, ବିଷ ପିଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ
ଏନେଇ ରାଜକନିକା ଆଇଆଇସି କହିଛନ୍ତି, "କେସ୍ ନମ୍ବର 346 u/s 363 ରୁଜୁ କରି ଏସ୍ପିଙ୍କ ନେତୃତ୍ବରେ ଏକ ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ ଗଠନ ହୋଇଥିଲା । ଦୀଘାରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ଓ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଏହି ଅପହରଣରେ ସମ୍ପୃକ୍ତ କାର୍ ଚାଳକ ଓ ଯୁବକଙ୍କ ସମ୍ପର୍କୀୟ ଫେରାର ଅଛନ୍ତି ତେବେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।"
ଇଟିଭି ଭାରତ, କେନ୍ଦ୍ରାପଡ଼ା