କେନ୍ଦ୍ରାପଡ଼ା: ଉଗ୍ରରୂପ ନେଇସାରିଛି ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ବିବାଦ। ଗୋଟିଏ ପଟେ କମ୍ପାନୀ, ପ୍ରଶାସନ ସହାୟତାରେ ଯେନତେନ ପ୍ରକାରେ କାମ କରାଇବା ପାଇଁ ଆଗଭର ହେଉଥିବା ବେଳେ ଆଳି, କନିକା ଅଧିବାସୀ ଏହାର ଘୋର ବିରୋଧ କରିଛନ୍ତି। ଗତ ଗୁରୁବାର ଦିନ ଉତ୍ୟକ୍ତ ଜନତା କମ୍ପାନୀର ଯନ୍ତ୍ରପାତି, ଗାଡି ଭାଙ୍ଗିବା ସହ ପ୍ରାୟ ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ କରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି।
ଏହି ଘଟଣାରେ ପ୍ରାୟ ୮୦୦ରୁ ୧୦୦୦ ଲୋକଙ୍କ ସମ୍ପୃକ୍ତି ଥିବା ଦର୍ଶାଇ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଥାନାରେ ଏତଲା ହେବା ପରେ ପୋଲିସ ଗତକାଲି ୨୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ସିସିଟିଭି ଯାଞ୍ଚ କରୁଥିବା ବେଳେ ଏବେ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ସେହିପରି ଭବିଷ୍ୟତରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ସମେତ ଭାରିଗଦା, ବରୁଣାଡ଼ିହା ଓ ବାଳକାଟି ପଞ୍ଚାୟତରେ ୩୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ