ଫୁଲବାଣୀ: ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ୱାର୍ଡ ମେମ୍ବର । ଅଟୋରୁ 36 କିଲୋ ଗଞ୍ଜେଇ ଜବତ ସହ ୱାର୍ଡ ମେମ୍ବରଙ୍କୁ ଗିରଫ କଲା ପୋଲିସ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନିକଟ ନେଡିପଦର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଅଟୋକୁ ଚଢ଼ାଉ କରି 2 ଜଣଙ୍କୁ ଗିରଫ କରିଛି ।
କନ୍ଧମାଳ ଜିଲ୍ଲାରେ ଅପରେସନ ନୀଳ ଜହର ଅଭିଯାନ ଜାରି ରହିଛି । ଜିଲ୍ଲାର ବିଭିନ୍ନ ଥାନା ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବେଆଇନ ଭାବରେ ଚାଷ ହୋଇ ଥିବା ଶହ ଶହ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କରି ଦିଆଯାଉଛି । ତେବେ ଗୋଟିଏ ପଟେ ଏହି ଅଭିଯାନ ଚାଲିଥିବା ବେଳେ ଅନ୍ୟପଟେ ଜିଲ୍ଲାରୁ ବାହାର ଜିଲ୍ଲା ଓ ବାହାର ରାଜ୍ୟକୁ ବେଧଡ଼କ ଭାବରେ ମାଫିଆ ମାନେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି । ଏହି ପରିପେକ୍ଷୀରେ ସୋମବାର ଏକ ଅଟୋରେ ଗଞ୍ଜେଇ ଚାଲାଣ ବେଳେ ପୋଲିସ କାବୁ କରିବାରେ ସଫଳ ହୋଇଛି । ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସଦଳବଳେ ଫିରିଙ୍ଗିଆ ନିକଟ ନେଡିପଦର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ପାଟ୍ରୋଲିଂ ବେଳେ ଏକ ଅଟୋକୁ ଅଟକାଇଥିଲେ । ଅଟୋକୁ ଯାଞ୍ଚ କରିବା ସମୟରେ ସେଥିରୁ ୩୬ କିଲୋ ଗଞ୍ଜେଇ ଜବତ ହୋଇଥିଲା।
ଗାଡିରେ ବସିଥିବା ଜଣେ ମହିଳା ଗଞ୍ଜେଇ ମାଫିଆ ଓ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ତେବେ ଘଟଣାସ୍ଥଳରୁ ପୋଲିସକୁ ଚକମା ଦେଇ ଅଟୋରେ ବସିଥିବା ଆଉ ଦୁଇଜଣ ମହିଳା ଫେରାର ହୋଇ ଯାଇଥିଲେ । ଗିରଫ ମହିଳା ଜଣକ ଫିରିଙ୍ଗିଆ ଥାନା କେଲାପଡା ଗ୍ରାମର ମୋହିନୀ ଦିଗାଲ ଓ ଗିରଫ ଅଟୋ ଡ୍ରାଇଭର ହେଲେ କେଲାପଡା ପଞ୍ଚାୟତ ନାଥାପଦର ଗ୍ରାମର ସୁଶାନ୍ତ ସାହୁ । ସୁଶାନ୍ତ ନିଜ ଗ୍ରାମର ୱ।ର୍ଡ ମେମ୍ବର ଥିବା ଜଣାପଡିଛି । ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୧୮୬/୨୨ ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କନ୍ଧମାଳ