ଫୁଲବାଣୀ: ଦାରିଙ୍ଗିବାଡ଼ି ଥାନା କିରୀକୁଟି ପଞ୍ଚାୟତର ୫୯ନଂ ଜାତୀୟ ରାଜପଥ ଡଙ୍ଗେରୀ ଛକ ନିକଟରେ ରବିବାର ଘଟିଛି ସଡକ ଦୁର୍ଘଟଣା । ମୋଟର ସାଇକେଲକୁ ଧକ୍କା ଦେଲା ସ୍କର୍ପିଓ । ଫଳରେ ମୋଟର ସାଇକେଲ ଚାଳକ ଓ ଆରୋହୀ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ମୃତକ ଦୁଇ ଜଣ ହେଲେ ପର୍ତମାହା ପଞ୍ଚାୟତ କିଦୁମାଲା ଗାଁର ପ୍ରକାଶ ପ୍ରଧାନ ଓ ମିଲୁ ପ୍ରଧାନ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଇଛି । ଏନେଇ ଖବରପାଇ କ.ନୂଆଗାଁ ପୋଲିସ୍ ଗୁଞ୍ଜି ଗାଁ ନିକଟରେ ଗାଡ଼ି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ଅନ୍ୟପଟେ ଦାରିଙ୍ଗିବାଡ଼ି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି । ଏଥିସହିତ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଦାରିଙ୍ଗିବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।
ତଥ୍ୟ ଅନୁସାରେ, ଦୁଇ ଜଣ ଯୁବକ ଏକ ଘୁଷୁରୀ ଧରି କିରୀକୁଟି ଗ୍ରାମରୁ ସିମନବାଡ଼ି ଗ୍ରାମ ଆଡକୁ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କର୍ପିଅ ( ଓଡ଼ି ୦୨ ଏକେ ୨୨୨୮) ଗାଡି ଧକ୍କାଦେଇ ଚାଲିଯାଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ହିଁ ୨ଜଣ ପ୍ରାଣ ହରାଇଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ