କନ୍ଧମାଳ: ଖଜୁରିପଡା ଥାନା ଅନ୍ତର୍ଗତ ଗାଡିଆପଡା ଘାଟିରେ ଗତ 29 ତାରିଖ ରାତିରେ ମଟର ସାଇକେଲ ସହିତ ଜଣେ ଯୁବକଙ୍କୁ ଜିଅନ୍ତା ପୋଡିବାକୁ ଉଦ୍ୟମ କରିବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଜଣ ହେଲେ ସୁରାଦେଇ ଗାଁର ସୀମାଞ୍ଚଳ ବାରିକ ଓ ଦାଦପାଜୁ ଗାଁର ସୁମନ ମଲ୍ଲିକ ।
ତେବେ ସେମାନଙ୍କର ଜାମିନ ନାମାଞ୍ଜୁର ହେବାରୁ ଦୁଇଜଣଙ୍କୁ ଜେଲକୁ ପଠାଇ ଦିଆଯାଇଛି । ପୋଲିସ କହିବା ଅନୁଯାୟୀ, 29 ତାରିଖ ଦିନ ଅଭିଯୁକ୍ତ ଦୁଇଜଣ ବଜାରରେ ଥିବାବେଳେ କେହି ଏମାନଙ୍କୁ ଗାଳିଗୁଲଜ କରି ବାଇକରେ ପଳାଇଥିଲା । ଏମାନେ ବାଇକକୁ ପିଛା କରୁଥିବା ସମୟରେ ଘାଟିରେ ବୌଦ୍ଧ ଜିଲ୍ଲା ପୁରଣାକଟକର ଉମାକାନ୍ତ ବିଟ୍ ଓ ପୁରୀ କୌଣାର୍କର ରଞ୍ଜିତ୍ କୁମାର ବେହେରାଙ୍କୁ ଦେଖିଥିଲେ । ତେବେ ଭୁଲରେ ଏମାନଙ୍କୁ ପାଇ ମାଡ ମାରିବା ସହ ପେଟ୍ରୋଲ ଢାଳି ରଞ୍ଜିତ୍ ଦେହରେ ନିଆଁ ଲଗାଇଦେଇଥିଲେ ।
ତେବେ ଏହା ପରେ ଉମାକାନ୍ତ ତୁରନ୍ତ ଖଜୁରିପଡା ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ । ପ୍ରଥମେ ଖଜୁରିପଡା ମେଡିକାଲ ଏବଂ ପରେ ଫୁଲବାଣୀ ମେଡିକାଲକୁ ଆଣିଥିଲା ଦମକଳ ବାହିନୀ । ପରେ ଦୁଇଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ରମେଶଙ୍କ ଶରୀରର କୋଡିଏ ପ୍ରତିଶତରୁ ଅଧିକ ପୋଡି ଯାଇଥିବାବେଳେ ସେ ବର୍ତ୍ତମାନ ଚିକିତ୍ସାଧିନ ଥିବା ଜଣାପଡିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ