କନ୍ଧମାଳ: ଲାଞ୍ଚ ନେବା ପଡିଲା ମହଙ୍ଗା । ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କୁ ଦଣ୍ଡ ଶୁଣାଇଲେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । 8 ହଜାର ଟଙ୍କା ଲାଞ୍ଚ ନେଇଥିବା ତତ୍କାଳୀନ ସାମାଜିକ ଶିକ୍ଷା ସଂଯୋଜକ ନବକେଶି ଦେଶୀନାୟକଙ୍କୁ କୋର୍ଟ ଶୁଣାଇଲେ 4 ବର୍ଷ ସଶ୍ରମ କାରାଦଣ୍ଡ ସହ 10ହଜାର ଟଙ୍କା ଜୋରିମାନା। ଏହା ଅନାଦେୟ ହେଲେ ଅତିରିକ୍ତ 6 ମାସ ଜେଲ ଦଣ୍ଡ ନିର୍ଦ୍ଦେଶ । କେ.ନୂଆଗାଁ ବ୍ଲକର ତତ୍କାଳୀନ ସ୍କୁଲକୁ ଯୋଗାଉଥିବା ଅଣ୍ଡା ବିଲ ପୈଠ କରିବାକୁ ଠିକାଦାରଙ୍କ ଠାରୁ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ 2014ରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ ନବକେଶି ଦେଶୀନାୟକ ।
କୋର୍ଟ ସୂଚନା ଅନୁସାରେ ଠିକାଦାର ପଦ୍ମ ଚରଣ ସାହୁ କେ.ନୂଆଗାଁ ବ୍ଲକର ବିଭିନ୍ନ ସ୍କୁଲରେ ମଧ୍ୟାହ୍ନ ଭୋଜନ(ଏମଡିଏମ) ପାଇଁ ଅଣ୍ଡା ଯୋଗାଣ କରୁଥିଲେ। ତାଙ୍କର 74 ହଜାର ଟଙ୍କା ବକେୟା ବିଲ ବାକିଥିଲା। ଏଥିପାଇଁ ଦଶ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆଠ ହଜାର ଟଙ୍କା ଦେବା ପାଇଁ ଶେଷରେ ଧାର୍ଯ୍ୟ ହୋଇଥିଲା । ହେଲେ ଟଙ୍କା ନେବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ। ଏହି ମାମଲାରେ 9 ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମାମଲା ପରିଚାଳନା କରୁଥିଲେ। ଦଣ୍ଡାଦେଶ ପରେ ଫୁଲବାଣୀ ଜିଲ୍ଲା ଜେଲକୁ ଗଲେ ଲାଞ୍ଚୁଆ ଏସଈଓ।
କନ୍ଧମାଳରୁ ସଦାଶିଵ ପାତ୍ର, ଈଟିଭି ଭାରତ