ଫୁଲବାଣୀ: ନିର୍ବାଚନରେ କ୍ଷମତା ଦଖଲ ପାଇଁ ରାଜନେତା କେତେ ଷଡଯନ୍ତ୍ର କରିପାରନ୍ତି, ଆଉ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରାଇ ନଦେବାକୁ କେତେ ଚଞ୍ଚକତା କରିପାରନ୍ତି ତାହାର ଏକ ନିଚ୍ଛକ ଘଟଣା ଏବେ ସାମନାକୁ ଆସିଛି ।
ଘଟଣାଟି ହେଉଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ପସରା ପଞ୍ଚାୟତର । ଖବର ଅନୁସାରେ ପସରା ପଞ୍ଚାୟତ ମୁଣ୍ଡା ଗାଁର ସାଧବାଣୀ ପ୍ରଧାନ ଚଳିତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଲଢିବାକୁ ପ୍ରସ୍ତୁତ ହେଉଥିଲେ । ନିର୍ବାଚନ ତାରିଖ ଘୋଷଣାର ଯଥେଷ୍ଟ ପୂର୍ବରୁ ସେ ନିଜର ପ୍ରସ୍ତୁତି ଓ ରଣନୀତି ଜାରି ରଖିଥିଲେ । ହେଲେ ଠିକ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ସଜବାଜ ହେବା ବେଳେକୁ ଜାଣିବାକୁ ପାଇଲେ ତାଙ୍କ ନାମ ହିଁ ଭୋଟର ତାଳିକାରେ ନାହିଁ । ଅର୍ଥାତ ସାଧବାଣୀ ପ୍ରଧାନଙ୍କ ନାମ ଭୋଟର ଲିଷ୍ଟରେ ନାହିଁ । ହେଲେ ପୂର୍ବରୁ ସେ 2 ଥର ଭୋଟ ଦେଇସାରିଛନ୍ତି ।
ତାଙ୍କର ନିର୍ବାଚନ ପ୍ରତିଦ୍ବନ୍ଦିତା କରିବାର ଯୋଜନା ଦେଖି ସ୍ଥାନୀୟ ନେତା ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ନାମକୁ ଭୋଟର ତାଳିକାରୁ କାଟି ଦେଇଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ଆଶାୟୀ ସରପଞ୍ଚ ପ୍ରାର୍ଥୀ ସାଧବାଣୀ ପ୍ରଧାନ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାସହ ତାଙ୍କର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଛନ୍ତି ।
ଘଟଣାକୁ ନେଇ ସାଧବାଣୀ କହିଛନ୍ତି ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଭୋଟର ତାଲିକାରୁ ବାଦଦେବାକୁ ହେଲେ ୭ ନଂ ଫର୍ମ ପୂରଣ ସହ ମୋର ସ୍ବୀକୃତି ରହିବା କଥା । ହେଲେ ଏଠି ମୋର ଅଜାଣତର ଏହି ସବୁ ହୋଇଛି । ଏହାକୁ ନେଇ ତଦନ୍ତ କରିବା ସହ ତାଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ସୁଯୋଗ ଦେବାକୁ ସେ ଦାବି କରିଛନ୍ତି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ