କନ୍ଧମାଳ:ଜିଲ୍ଲାରେ ଚାଲିଛି ବିଚିତ୍ର ନୀତି। ସରକାର ଅଗ୍ନି ନିରାପତ୍ତାକୁ ନେଇ ଅନେକ ନିର୍ଦେଶ ଦେଉଥିବା ବେଳେ ସବୁ ନିୟମକୁ ଏଠି ପାଳନ କରାଯାଉ ନାହିଁ । ଫୁଲବାଣୀରେ ମଧ୍ୟ ଖେଳ ପଡ଼ିଆରେ ବାଣ ବଜ଼ାର ଖୋଲିବାକୁ ଦିଆଯାଇଛି ଅନୁମତି ।
ପଡ଼ିଆଟି ସହରର କେନ୍ଦ୍ରସ୍ଥଳରେ ଥିବା ବେଳେ ଜନବସତି ଅଞ୍ଚଳ ମଝିରେ ରହିଛି । ନକ୍ସଲ ପ୍ରବଣ ଜିଲ୍ଲାର ସର୍ବୋଚ୍ଚ ସିକ୍ୟୁରିଟ ଯୋନ ନିକଟରେ ହୋଇଛି ବାଣ ବଜାର । ଯେଉଁଠାରେ ହୋଇନାହିଁ କୌଣସି ନିରାପତ୍ତା ବ୍ୟବସ୍ଥା । ଫୁଲବାଣୀ ସହରର କେନ୍ଦ୍ରସ୍ଥଳରେ ମାଷ୍ଟ୍ର ପଡ଼ାର ବି-ଟିମ ପଡ଼ିଆ । ନକ୍ସଲ ପ୍ରବଣ ଜିଲ୍ଲା ହୋଇଥିବାରୁ ସୁରକ୍ଷାକୁ ନେଇ ଅନେକ କାଇଦା କଟକଣା । କିନ୍ତୁ ଜିଲ୍ଲା ପୋଲିସ ଅଫିସ ସହିତ ଆଣ୍ଟି ନକ୍ସଲ ଅପରେସନ କଣ୍ଟ୍ରୋଲ ରୁମ ନିକଟରେ ଏପରି ବାଣ ବଜ଼ାର କରାଯାଇଛି ।
ଏହା ସହିତ ଜିଲ୍ଲା ଜଜଙ୍କ ବାସଭବନ, ଜିଲ୍ଳା କୋର୍ଟ ମଧ୍ୟ ନିକଟରେ ରହିଛି । ପଡ଼ିଆର ଅନ୍ୟପଟେ ରହିଛି ଅନେକ ସାହି । କିନ୍ତୁ ଏପରି ସ୍ଥଳେ ନିୟମକୁ ସତେ ଯେମିତି ଫୁ କରିଦେଇଛି ଅଗ୍ନିଶମ ବିଭାଗ । ଜିଲ୍ଲା ପୋଲିସ ମଧ୍ୟ ଆଖି ବନ୍ଦ କରିଦେଇଛି । ପଡ଼ିଆରେ ଏକମାତ୍ର ରାସ୍ତା ଥିବା ବେଳେ ଅଘଟଣ ପାଇଁ କୌଣସି ବନ୍ଦୋବସ୍ତ ନାହିଁ । ଏପରି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ଅଧିବାସୀ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ