ଫୁଲବାଣୀ: କନ୍ଧମାଳ ପୋଲିସକୁ ମାଓ ଚିନ୍ତା । ମାଓ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ମାଓ ଇଲାକାରେ ହେଲିକେପ୍ଟରରେ କରଯାଇଛି ଏରିଏଲ ସର୍ଭେ । ଓଡ଼ିଶା ପୋଲିସ ଓ ସିଆରପିଏଫଙ୍କ ସହ ବିଏସଏଫ ମାଓ ଦମନରେ ହୋଇ ପାରନ୍ତି ସାମିଲ । କନ୍ଧମାଳ ଜିଲ୍ଲାର ନକ୍ସଲ ଏବଂ ମାଓବାଦୀ ସମସ୍ୟାର ସମୀକ୍ଷା କରିବା ପାଇଁ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି ରାଜ୍ୟ ପୋଲିସ, ବିଏସଏଫ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀ ।
ରାଜ୍ୟ ପୋଲିସର ଗୋଇନ୍ଦା ନିର୍ଦ୍ଦେଶକ ସଂଜୀବ କୁମାର ପଣ୍ଡା, ଅପେରସନ ଆଇଜି ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଡିଆଇଜି ଏସଆଇ ଡବ୍ଲୁ ଅନିରୁଦ୍ଧ ସିଂ, ବିଏସଏଫ ଆଇଜି ଧନେଶ୍ବର କୁମାର ଶର୍ମା, ବିଏସଏଫ ଡିଆଇଜି ଧୀରେନ୍ଦ୍ର କୁମାର, ସିଆରପିଏଫ କାମାଣ୍ଡାଣ୍ଟ ଆନନ୍ଦ ଝା ପ୍ରମୁଖ ମାଓବାଦୀ ସମସ୍ୟାର ସମୀକ୍ଷା ପାଇଁ କନ୍ଧମଳ ଆସିଛନ୍ତି । ଏହି ମିଳିତ ଟିମ ଫୁଲବାଣୀସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପହଞ୍ଚି ନକ୍ସଲ ଓ ମାଓବାଦୀଙ୍କ ଗତିବିଧି ଉପରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ କନ୍ଧମାଳ SP ବିନୀତ ଅଗ୍ରୱାଲ ଏବଂ ବାଲିଗୁଡ଼ା SDPO ଜି ରାଘବେନ୍ଦ୍ର ମଧ୍ୟ ଉପସ୍ଥିତ ରହିଥିଲେ ।
ଏହି ଟିମ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳ ଗୋଛାପଡ଼ା, ପାହିରାଜୁ, କଲମପଦର, ରାକା, ମୁଗୁନିପଦର, ସାଡ଼ିଙ୍ଗିଆ, ଲୁବେନଗଡ଼ ଏବଂ ଅନ୍ୟାନ୍ୟ କିଛି ଅଞ୍ଚଳର ଏରିଅଲ ସର୍ଭେ ମଧ୍ୟ କରିଛନ୍ତି । ଜିଲ୍ଲାରେ ମାଓ ଦମନ ପାଇଁ ଆଗକୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି IG ଅପେରସନ ଅମିତାଭ ଠାକୁର କହିଛନ୍ତି । ମାଓ କମ୍ରେଡ ଦେୱ ମ।ଡାକମ ଓରଫ ଜୈନୀଙ୍କୁ ପୋଲିସ ଗିରଫ କରିଥିବା ନେଇ ମାଓବାଦୀ ସଂଗଠନ ପକ୍ଷରୁ ପ୍ରେସ ବିବୃତି ଜାରି କରାଯାଇଥିଲା । ହେଲେ ଏନେଇ କାହାକୁ ଗିରଫ କରାଯାଇନାହିଁ ବୋଲି ଆଇଜି ଠାକୁର କହିବା ସହ ମୁଖ୍ୟ ସ୍ରୋତରେ ମାଓବାଦୀଙ୍କୁ ସାମିଲ କରିବା ପାଇଁ ଆମେ ପ୍ରୟାସ କରୁଛୁ ବୋଲି କହିଛନ୍ତି ।
ତେବେ ମାଓ କମ୍ରେଡ ଦେୱ ମ।ଡାକମ ଗଲା କୁଆଡେ ତାକୁ ନେଇ ଉଠିଛି ପ୍ରଶ୍ନ । ସେହିଭଳି BSF IG ଧନେଶ୍ବର କୁମାର ଶର୍ମା କହିଛନ୍ତି, "ରାଜ୍ୟ ସରକାର ମାଓ ଦମନ ପାଇଁ ସେମାନଙ୍କ ସହଯୋଗ ଲୋଡ଼ିଲେ ସେହି ଅନୁସାରେ BSF ଆବଶ୍ୟକ ପଦକ୍ଷେପ ନେବ ।" ସୂଚନା ଯୋଗ୍ୟ, ଚଳିତ ମାସ ୧୧ ତାରିଖ ଦିନ ପୋଲିସ ଗୁଳିରେ ଜଣେ ମହିଳା ମାଓବାଦୀ ମୃତ୍ୟୁ ବରଣ କରିବା ସହ ବହୁ ମାଓ ସାମଗ୍ରୀ ଜବତ କରିଥିଲା ଜିଲ୍ଲା ପୋଲିସ । କିଛି ଦିନ ପରେ ମୃତ୍ୟୁ ବରଣ କରିଥିବା ମହିଳା ମାଓବାଦୀଙ୍କ ପ୍ରତିଶୋଧ ନେବା ପାଇଁ ଲାଲ ବାହିନୀ ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଥିଲେ । ଏହାସହ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସୁଡ୍ର। ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାମ କରୁଥିବା ଏକ ଠିକା ସଂସ୍ଥାର ଗୋଟିଏ ଜେସିବି, ଦୁଇଟି ଟ୍ରାକ୍ଟର ଓ ଦୁଇଟି ମିକ୍ସଚର ମେସିନ୍ ପୋଡ଼ି ଦେଇଛନ୍ତି । ମଧ୍ୟ ରାତ୍ରିରେ ଠିକା ସଂସ୍ଥାକୁ ୨୦ ରୁ ଅଧିକ ସଶସ୍ତ୍ର ମାଓବାଦୀ ପଶି ଏହି ତାଣ୍ଡବ ଲୀଳା ରଚିଥିବା ଜଣାପଡ଼ିଛି ।
ଇଟିଭି ଭାରତ, କନ୍ଧମାଳ