ଫୁଲବାଣୀ: କନ୍ଧମାଳ ଓରା ପଞ୍ଚାୟତରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଘଟଣା । ଘଟଣାକୁ ଇତି ମଧ୍ୟରେ ମାସେ ବିତିଥିଲେ ସୁଦ୍ଧା କୋଟଗଡ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ ନକରି କେବଳ ମାମଲା ରୁଜୁ କରି ଚୁପ୍ ବସିଛି ବୋଲି ଅଭିଯୋଗ ହୋଇଛି । ଫଳରେ ନାବାଳିକା ଏବଂ ତାଙ୍କ ପରିବାର ଲୋକେ ଭୟଭୀତ ଅଛନ୍ତି । ବୁଧବାର ନାବାଳିକାଙ୍କ ବାପାଙ୍କ ସମେତ ପରିବାର ଫୁଲବାଣୀ ଆସି ଏସ୍ପିଙ୍କୁ ଭେଟିବା ସହ ଘଟଣା ବିଷୟରେ ଅବଗତ କରାଇ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବି ଜଣାଇଥିଲେ । ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଭିନୀତ ଅଗ୍ରୱାଲ ପ୍ରତିଶ୍ରୁତି ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୩ ତାରିଖ ବିଳମ୍ବିତ ରାତିରେ ନାବାଳିକା ଜଣଙ୍କ ଘରେ ଭଉଣୀଙ୍କ ସହ ଶୋଇଥିଲେ । ବିଳମ୍ବିତ ରାତିରେ ସାନ ଭଉଣୀ ବାହାରକୁ ଯିବାକୁ ଉଠିବାରୁ ଭଉଣୀ ପାଖରେ ନ ଥିବା ଦେଖି ମା’ ବାପାଙ୍କୁ ଜଣାଇଥିଲେ । ଖୋଜା ଖୋଜି ପରେ ନାବାଳିକାର ପତ୍ତା ନମିଳିବାରୁ ଗ୍ରାମର ଚାରି ଜଣ ଯୁବକ ବାଇକ ଯୋଗେ ତାଙ୍କୁ କୋଟଗଡ ନେଇ ଯାଇଥିବା ଜାଣିବାକୁ ପାଇଥିଲେ । ଦୁଇ ଜଣ ଯୁବକ ନାବାଳାଖିଙ୍କୁ ଦୁଷ୍କର୍ମ କରିବା ସହ ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।
ନାବାଳିକା ଜଣଙ୍କ ଘରକୁ ଆସି ଘଟଣା ବିଷୟରେ କହିବା ପରେ ତାଙ୍କ ବାପା କୋଟଗଡ ଥାନାରେ ଏତଲା ଦେଇଥିଲେ । ପୋଲିସ ୨୦/୨୨ରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ