କନ୍ଧମାଳ: ନାବାଳିକା କଲେଜ ଛାତ୍ରୀଙ୍କ ମୃତ୍ୟୁର 22 ମାସ ପରେ କବରରୁ ମୃତଦେହ ଖୋଲାଯାଇଛି । ବଡ ଜ୍ବାଇଁ ଏହି ନାବାଳିକା ଝିଅକୁ ହତ୍ୟା କରିଥିବା ସନ୍ଦେହ କରି ବାପାଙ୍କ ଏତଲା ପରେ ପୋଲିସ ଖୋଳତାଡ ଆରମ୍ଭ କରିଛି। ଏହି ଘଟଣା ଏବେ ସାରା କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ପୋଲିସର ସୂଚନା ଅନୁଯାୟୀ ଘୁ:ଉଦୟଗିରି ଥାନା ଅନ୍ତର୍ଗତ କୁମ୍ଭାରକୁପା ଗାଁ ର ଯିହୋଶୁୟ ନାୟକଙ୍କ ନାବାଳିକା ଝିଅ ଜେଏସ ସେଲିବ୍ରେଟର ମୃତ୍ୟୁ 2018 ଫେବୃଆରୀ 2ରେ ରହସ୍ୟମୟ ଭାବେ ହୋଇଥିଲା । ଏହା ଆତ୍ମହତ୍ୟା କୁହାଯାଉଥିବା ବେଳେ ପରିବାର ଲୋକେ ଏହାକୁ ସନ୍ଦେହ କରୁଥିଲେ। ଫଳରେ ତଦନ୍ତ ପାଇଁ ରାଜ୍ୟ ସରକାର ଓ ଅନେକ ସ୍ଥାନକୁ ଜଣାଇଥିଲେ ବାପା। ଶେଷରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି । ଦଫା 131/2019ରେ ପୋଲିସ 302 ଓ 201ରେ ମାମଲା ରୁଜୁ କରାଯାଇଛି ।
ସାଇନଟିଫିକ ଟିମ ସହିତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ 22ମାସ ପରେ ସୋମବାର କବରରୁ ମୃତଦେହ ବାହାର କରାଯାଇ ବ୍ରହ୍ମପୁର ବଡ ମେଡିକାଲ ଏଫଏମଟି ୱାର୍ଡକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ରିପୋର୍ଟ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଏସପି । ସେପଟେ ଲୋକେ କହୁଛନ୍ତି କଫିନରୁ ଉଠି ନ୍ୟାୟ ମାଗୁଛି ସେଲିବ୍ରେଟ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ