ଫୁଲବାଣୀ: ଓଡ଼ିଶାର କାଶ୍ମୀର ତଥା ଭୂସ୍ଵର୍ଗ କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ତାପମାତ୍ରା ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଆଜି(ସୋମବାର) ଦାରିଙ୍ଗବାଡିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରହିଥିବା ବେଳେ ରବିବାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଶନିବାର ଦାରିଙ୍ଗବାଡିରେ ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଗୋଟିଏ ଦିନ ମଧ୍ୟରେ ୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ଖସିଛି । ସେହିଭଳି ଫୁଲବାଣୀର ତାପମାତ୍ରା ସୋମବାର ୧୧.୫ ଡିଗ୍ରୀ ରହିଛି । ତାପମାତ୍ରା ନିମ୍ନଗାମୀ ହେଉଥିବାରୁ ଜୀବନ ଯାପନ ପ୍ରଭାବିତ ହେଉଥିବା ବେଳେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ଜାଳି ଆଶ୍ରୟ ନେବା ସହିତ ଚା' ଦୋକାନରେ ଲାଗୁଛି ଲୋକଙ୍କ ଭିଡ ।
ଥଣ୍ଡା ବୃଦ୍ଧି ଯୋଗୁଁ ଲୋକେ କାମକୁ ଯାଇ ପାରୁନଥିବା ଦେଖିବାକୁ ମିଳୁଛି । ବୃଦ୍ଧବୃଦ୍ଧାମାନେ ଶୀତକୁ ସହ୍ୟ କରିନପାରି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ତୁମୁଡିବନ୍ଧ ବ୍ଲକର ବେଲଘର, ମୁଣ୍ଡିଗଡ, ଗୁମା ଓ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣିଗାଁ, ଭ୍ରମରବାଡି, ଶିର୍କାବର୍ଗ ଆଦି ଅଞ୍ଚଳରେ ଅସହ୍ୟ ହେବାରେ ଲାଗିଛି ଶୀତ । ଜିଲ୍ଲାରେ ଶୀତର ପ୍ରଭାବ ବଢୁଥିବା ଯୋଗୁଁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ଦାରିଙ୍ଗବାଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଶୀତର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ