ନବରଙ୍ଗପୁର: କାର ଭଡାରେ ନେଇ ହତ୍ୟା ଓ ଲୁଟ୍ ମାମଲାର ମାଷ୍ଟର ମାଇଣ୍ଡ ଗିରଫ। ଲୁଟ୍ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ଟିକାବାଲି କଇଁ ଝର ଅଞ୍ଚଳର ଡ୍ରାଇଭର ଲକ୍ଷ୍ମୀନାରାୟଣ ସାହୁଙ୍କୁ କାର ଭଡାରେ ନେଇ ହତ୍ୟା କରି ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ପୋଲିସ ଲକ୍ଷ୍ମୀନାରାୟଣଙ୍କ ମୃତ ଦେହକୁ ସଦର ଥାନା ଅଞ୍ଚଳରୁ ଉଦ୍ଧାର କରିଥିଲା । ଏହି ବହୁଚର୍ଚ୍ଚିତ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶୁଭମ୍ ଦିଗାଲକୁ ଆଜି ଗିରଫ କରିଛି ପୋଲିସ।
କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମଜୁରିବିଡ଼ାରୁ ଅଗଷ୍ଟ 21 ତାରିଖରେ ଏକ ଅଚିହ୍ନା ମୃତଦେହ ଉଦ୍ଧାର ହୋଇଥିଲା। ପରେ ଚିହ୍ନଟ ମୃତଦେହଟି ଡ୍ରାଇଭର ଲକ୍ଷ୍ମୀ ନାରାୟଣ ସାହୁଙ୍କର ବୋଲି ଚିହ୍ନଟ କରାଯାଇଥିଲା । ଟିକାବାଲି ଥାନାକୁ ଏହି ମାମଲା ହସ୍ତାନ୍ତର ହୋଇଥିଲା।
ପୋଲିସ୍ ସୂଚନା ଅନୁଯାୟୀ ଅଗଷ୍ଟ 20ତାରିଖରେ ଦୁଇ ଅଭିଯୁକ୍ତ କାର୍ ଭଡ଼ାରେ ନେଇଥିଲେ ଏବଂ ଲୁଟ୍ ଉଦ୍ଦେଶ୍ୟରେ ଜାଲ ବିଛାଇଥିଲେ। ଫୁଲବାଣୀ ନିକଟ ମଜୁରିବିଦା ଠାରେ ଡ୍ରାଇଭରକୁ ଗଳା ଚିପି ହତ୍ୟା କରିବା ପରେ ଗାଡ଼ିକୁ ନେଇ ଚମ୍ପଟ୍ ମାରିଥିଲେ। ପରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ କାର୍କୁ ପାବୁରୀଆ ନିକଟରୁ ଜବତ କରିଥିଲା। ପ୍ରାୟ ମାସେ ପରେ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଟିକାବାଲି ଜିଗୀନାଗାଁ ର ଶୁଭମ୍ ଦିଗାଳକୁ ଧରିଛି ପୋଲିସ୍। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଡିଜେ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଜେଲ ହାଜତକୁ ଯାଇଛି ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ରେବତୀ ଶବର।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ