କଳାହାଣ୍ଡି: ୬ବର୍ଷ ପରେ ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ । ସମ୍ପର୍କରେ କଳାଦାଗ ଲଗାଇଥିବା ତଥା ରକ୍ତ ସମ୍ପର୍କକୁ ଭୁଲି ନିଜ ଜନ୍ମ କଲା ବାପାକୁ ହତ୍ୟା କରିଥିବା ପୁଅ କାରାଗାରର କଳା ଅନ୍ଧାରରେ ଜୀବନ ବିତାଇବ । ଜେଲର ୪ କାନ୍ଥ ମଧ୍ୟରେ ରହି କଲା କର୍ମର ପଶ୍ଚ୍ୟାତାପ କରିବ ଜହ୍ଲାଦ ପୁଅ । ତେବେ ଏପରି ପିତୃହନ୍ତା ନାଭିଦତ୍ୟ ବାଗକୁ ଆଜି କଳାହାଣ୍ଡି ଜିଲ୍ଲା ଦୌରାଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବଡ଼ଗୁଣ୍ଡରି ଗାଁରେ ଗତ ଜାନୁଆରୀ ୨୯ ତାରିଖ ୨୦୧୮ ମସିହାରେ ଘଟିଥିଲା ଏପରି ବିଭତ୍ସକାଣ୍ଡ । ବଡ଼ଗୁଣ୍ଡରି ଗାଁର ଜଗନ୍ନାଥ ବାଗଙ୍କ ମୃତଦେହ ଘର ପଛପଟେ ପଡିଥିବାର ପରିବାର ଲୋକ ଦେଖିବାକୁ ପାଇଥିଲେ । ଏହାପରେ ପରିବାର ଓ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ନର୍ଲା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଜାନୁଆରୀ ୩୦ ତରିଖ ଦିନ ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା । ସେହି ସମୟରେ ଏହି ଘଟଣା ଗଣମାଧ୍ୟମର ଶିରୋନାମା ପାଲଟି ଥିବା ବେଳେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା ।
ତେବେ ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଥିଲା ଯେ, ଜଗନ୍ନାଥଙ୍କ ପୁଅ ନାଭିଦତ୍ୟ ବାଗ ଜମିବାଡ଼ିକୁ ମାମଲାକୁ କେନ୍ଦ୍ର କରି ନିଜ ବାପାକୁ ହତ୍ୟା କରିଛି । ପରେ ଅଭିଯୁକ୍ତ ପୁଅ ନାଭିଦତ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ନର୍ଲା ଥାନା ପୋଲିସ । ଘଟଣାର ଦୀର୍ଘ ୬ବର୍ଷ ପରେ ଘଟଣାର ଶୁଣାଣି କରିଛନ୍ତି କୋର୍ଟ । ଏହି ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ଅଭିଯୁକ୍ତ ନାଭିଦତ୍ୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ଏହାସହ ନିଜ ବାପାକୁ ହତ୍ୟା କରିବା ଘଟଣାରେ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯଦି ଜରିମାନାର ନଦେଇ ପାରିଲେ ଅତିରିକ୍ତ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ହତ୍ୟାକାଣ୍ଡ ଘଟଣାର ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅଧିକ ୩ ବର୍ଷ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ମାମଲାରେ ସରକାରୀ ଓକିଲ ନିଦର୍ଶିନୀ ରଥ ଏବଂ ଦୋଷୀ ପକ୍ଷରୁ ଓକିଲ ରାଜେଶ୍ କୁମାର ନାଏକ ମାମଲା ପରିଚାଳନା କରିଥିଲେ ।
ଇଟିଭି ଭାରତ, କଳାହାଣ୍ଡି