ଫୁଲବାଣୀ: ଦେଶ ପାଳୁଛି ସ୍ବାଧୀନତା ଦିବସ । ସ୍ବାଧୀନତା ପାଇବା ପାଇଁ କେତେଯେ ବଳିଦାନ ଦେଇଛନ୍ତି ଅଗଣିତ ଦେଶପ୍ରେମୀ। ଦେଶ ସ୍ବାଧୀନ ହେବାର 72 ବର୍ଷ ବିତିଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ମିଳି ନାହିଁ କନ୍ଧମାଳ ଜିଲ୍ଲାର ଅନେକ ଗାଁକୁ ମୌଳିକ ସୁବିଧା । ଅନୁନ୍ନତ କନ୍ଧମାଳର ଅନେକ ଗାଁକୁ ସଡକ ଯୋଗାଯୋଗ ଯେମିତି ସାତସପନ ହୋଇଛି। ଦୁର୍ଗମ ଗାଁ ତ ଦୂରର କଥା ଖୋଦ ମ୍ୟୁନିସିପାଲଟି ଅନ୍ତର୍ଗତ ଡାକପଲା ଗାଁ ସହିତ ଅନ୍ୟ ଦୁଇ ପଞ୍ଚାୟତାକୁ ଯିବାକୁ ସାଲୁଙ୍କି ନଦୀ ଅତିକ୍ରମ କରିବାକୁ ହୁଏ। ହେଲେ ଦୀର୍ଘ ଚାରି ଦଶନ୍ଧି ପରେ ମଧ୍ୟ ସାଲୁଙ୍କି ନଦୀରେ ପୋଲଟିଏ ହୋଇପାରି ନାହିଁ । ସ୍ଥାନୀୟ ପ୍ରଶାସନ ଲୋକ ପ୍ରତିନିଧିଓ ସରକାରଙ୍କୁ କହି କହି ଲୋକେ ନିରାଶ ।
ଏହା କନ୍ଧମାଳର କୌଣସି ଉପାନ୍ତ ଦୁର୍ଗମ ଅଞ୍ଚଳ ନୁହେଁ। କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହର ଦୁଇ ନମ୍ବର ୱାର୍ଡ ଡାକପଲା ଯିବାକୁ ଲୋକଙ୍କ ଦୈନନ୍ଦିନ ରାସ୍ତା । ସାଲୁଙ୍କି ନଦୀ ଫୁଲି ଏବେ ରାସ୍ତାରେ ପାଣି। ସମସ୍ତ ଦୈନନ୍ଦିନ କାର୍ଯ୍ୟ ଠପ । ଟିକେ ବର୍ଷା କମିଲେ ବିପଦପୂର୍ଣ୍ଣ ଭାବେ ନଦୀରେ ପଶି ଯାଉଛନ୍ତି ସାଧାରଣ ଲୋକଙ୍କ ସହ ଛାତ୍ରଛାତ୍ରୀ। ଯେମିତି ଏହି ନଦୀ ପାର ହେଲା ବେଳେ ଲୋକେ ସ୍ଥାନେ ସ୍ଥାନେ ବିପଦକୁ ସାମ୍ନା କରୁଛନ୍ତି ।
ନଦୀ ଆରପଟ ରହିଛି ଆଲାମୀ ପଞ୍ଚାୟତ, ଡାମିଗାଁ ପଞ୍ଚାୟତ, ସାଇଁନିପଦର ପଞ୍ଚାୟତର ଅନେକ ଗାଁ। ବର୍ଷା ଆସିଲେ ଯେମିତି ଏମାନଙ୍କ ପାଇଁ ଦୁଃଖ ନେଇ ଆସେ। ସାଲୁଙ୍କି ନଦୀରେ ପୋଲଟିଏ ପାଇଁ ସାଇନପଦର ଗ୍ରାମବାସୀ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସିଛନ୍ତି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପଂର । ଦେଶ ସ୍ବାଧୀନ ହେବାର 72ବର୍ଷ ବିତିଗଲାଣି ହେଲେ ଏହି ଅଞ୍ଚଳ ବାସୀ ଯେମିତି ଆଜିବି ପରାଧୀନ । ରାଜ୍ୟରେ ଗୋଟିଏ ସରକାର ଦୀର୍ଘଦିନ ଧରି ଶାସନ କରୁଛି ହେଲେ ଏହି ଅଞ୍ଚଳ ବାସୀ ଯେମିତି ସରକାରଙ୍କ ନଜର ଆଢୁଆଳରେ ରହିଛନ୍ତି । ତେବେ କେବେ ସରକାରରଙ୍କ ଦୃଷ୍ଟି ଏମାନଙ୍କର ଉପରେ ପଡୁଛି ତାକୁ ଅପେକ୍ଷା ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ