ଫୁଲବଣୀ: ସାରା ରାଜ୍ୟରେ ଜାରି ରହିଛି ବର୍ଷାର ରାଜୁତି । ଫଳରେ ଅନେକ ବଡ ବଡ ନଦୀ ସହ ଶାଖା ନଦୀରେ ବନ୍ୟା ପାଣି ଆସି ଏବେ ବହୁ ଜିଲ୍ଲା ଜଳବନ୍ଦୀ ହୋଇଛି । ଗତ ଦୁଇଦିନର ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ପରିସ୍ଥିତି ପୁରାପୁରି ସଂଗୀନ ହୋଇପଡିଛି ।
ଲଗାଣ ବର୍ଷାରେ ଜିଲ୍ଲାର ବହୁ ଅଞ୍ଚଳକୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇପଡିଛି । ଜିଲ୍ଲାର ତୁମୁଡିବନ୍ଧ, କୋଟଗଡ଼, ବାଲିଗୁଡା ବ୍ଲକର 10ରୁ ଅଧିକ ପଞ୍ଚାୟତ ସହ ଯୋଗାଯୋଗ ବିଛିନ୍ନ ହୋଇଛି । ଏହାସହ ଏନଏଚ-59 ଓ 157ର ଚାରୋଟି ସ୍ଥାନରେ ରାସ୍ତା ଧୋଇ ହୋଇ ଯାଇଥିବାରୁ ଶହ ଶହ ଗାଡି ଅଟକି ରହିଛି । ଏଥିସହ ଜଣେ ବାପା ଓ ତାଙ୍କ ପୁଅଙ୍କ ମଧ୍ୟ ପତ୍ତା ମିଳୁ ନାହିଁ । ସେମାନେ ପାଣିରେ ଭାସି ଯାଇଥିବା ଆଶଙ୍କା କରାଯାଉଛି ।
ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ 2198 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗୋଟିଏ ଦିନରେ ହାରାହାରି 183ମିଲିମିଟର ବର୍ଷା ହୋଇଛି । ଏହାସହ ଲୋକଙ୍କ ଘରେ ପାଣି ପଶିବା ସହ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖି ଉପଜିଲ୍ଲାପାଳ କହିଛନ୍ତି ଲଗାଣ ବର୍ଷା କାରଣରୁ କନ୍ଧମାଳରେ ରେଡ ୱାର୍ଣ୍ଣିଙ୍ଗ ସତର୍କ ସୂଚନା ଜାରି କରାଯାଇଛି । ଏହାସହ ଯୋଗଯୋଗ ସ୍ବାଭାବିକ ପାଇଁ ରାସ୍ତା ମରାମତି ଚାଲିଛି ଏବଂ ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ ରଖାଯାଇଛି ବୋଲି କହିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ