ଫୁଲବାଣୀ: ବେଆଇନ ମହୁଲ ଚୋରା ଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ହୋଇଛି ଅଚାନକ ଚଢ଼ାଉ । ପୋଲିସ ୧୫ କ୍ଵିଣ୍ଟାଲ ୬୦ କେଜି ମହୁଲ ଜବତ କରିବା ସହ ଏକ ୪୦୭ ପିକ୍ଅପ୍ ଭ୍ୟାନ୍ ଜବତ କରିଛି । ଘଟଣାରେ ଚାଲାଣକାରୀ ଡ୍ରାଇଭରକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅବକାରୀ ବିଭାଗର ସବ୍ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ବୁଡାଗୁଡ଼ା ଅଞ୍ଚଳରୁ ମହୁଲ ବୋଝେଇ ଟ୍ରକ୍ ବାଲିଗୁଡ଼ା ଅଭିମୁଖେ ଆସୁଥିବା ସୂଚନା ମିଳିଥିଲା ।
ଏହାପରେ ଟିମ୍ ବାଲିଗୁଡ଼ା-ବୁଡାଗୁଡ଼ା ରାସ୍ତାରେ ପାଟ୍ରୋଲିଂ କଡ଼ାକଡ଼ି କରିଥିଲେ । ସେହି ସମୟରେ ବାଦେକେତା ନିକଟରେ ୪୦୭ ପିକ୍ଅପ୍ ଭ୍ୟାନ OR-୧୨ ୨୫୮୬ କୁ ଯାଞ୍ଚ କରିବା ବେଳେ ଭ୍ୟାନରୁ ୧୫ କ୍ଵିଣ୍ଟାଲରରୁ ଅଧିକ ବେଆଇନ୍ ମହୁଲ ଅବକାରୀ ବିଭାଗ ଜବତ କରିଥିଲା । ଘଟଣାରେ ସମ୍ପୃକ୍ତ ଥିବା ଚାଲାଣକାରୀ ଡ୍ରାଇଭର ଆକାଶଦୀପ୍ ପରିଚ୍ଛାକୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ । ଜବତ ମହୁଲର ଆନୁମାନିକ ବଜାର ମୂଲ୍ୟ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ହେବବୋଲି ଜଣାପଡିଛି । ଏହା ବୁଡାଗୁଡ଼ା ଅଞ୍ଚଳରୁ ରାୟଗଡ଼ା ଜିଲ୍ଲାକୁ ଚାଲାଣ ହେଉଥିଲା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ