ଫୁଲବାଣୀ: ଫିଟୁଛି ଫାଇଭ-ଟି ରୂପାନ୍ତରିତ ସ୍କୁଲର ଗୁମର ! ବିଲ୍ ନ ପାଇ ଗୋଟିଏ ପରେ ଗୋଟିଏ 5-T ସ୍କୁଲ ଘରେ ତାଲା ପକାଉଛନ୍ତି ଠିକାଦାର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ସ୍କୁଲ ଗୃହ ନିର୍ମାଣ ହୋଇସାରିଥିଲେ ମଧ୍ୟ ଠିକାଦାରଙ୍କୁ ଟଙ୍କା ନମିଳିବାରୁ ଉତକ୍ଷିପ୍ତ ହୋଇ ଠିକାଦାରମାନେ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ ଆସିଛି ।
କନ୍ଧମାଳ ଜିଲ୍ଲାରେ ଖୋଲିବାରେ ଲାଗିଛି 5T ରୂପାନ୍ତରିତ ସ୍କୁଲର ଗୁମର । ବିଲ୍ ପୈଠ ନହେବାରୁ ଗୋଟିଏ ପରେ ଗୋଟିଏ 5-T ସ୍କୁଲ ଘରେ ତାଲା ପକାଯାଉଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ତଳେ ବିଲ୍ ନ ପାଇ କୋଟଗଡ ବ୍ଲକ ପକାରି ଫାଇଭ-ଟି ସ୍କୁଲରେ ଠିକାଦାର ତାଲା ପକାଇଥିବା ବେଳେ ଶୁକ୍ରବାର ଦିନ ପୁଣି ଏହି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ବିଲ୍ ନ ପାଇ ଫୁଲବାଣୀ ବ୍ଲକ ଅନ୍ତର୍ଗତ 5T ରୂପାନ୍ତରିତ ବିଶିପଡା ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଛନ୍ତି ଠିକାଦାର ।
ତେବେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ା ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟ 5t ସ୍କୁଲର ଉଦ୍ଘାଟନକୁ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା 2ଟି ଠିକାଦାରଙ୍କୁ 35 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମିଳିନଥିବା ଅଭିଯୋଗ ଆଣିଛନ୍ତି । ତେବେ ବାରମ୍ୱାର ପ୍ରଶାସନର ଦ୍ୱାରସ୍ଥ ହେବା ସତ୍ତ୍ବେ କୌଣସି ସୁଫଳ ନ ପାଇବାରୁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ଠିକାଦାର ।
ଏହାମଧ୍ୟ ପଢନ୍ତୁ.. ଉଦଘାଟନର ଦୁଇ ମାସରେ 5T ସ୍କୁଲ କାନ୍ଥ ଫାଟି ଆଁ
ଏହାମଧ୍ୟ ପଢନ୍ତୁ.. ସମସ୍ୟା ଘେରରେ ପୁରୀ ସହର: ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ଓ କଂଗ୍ରେସର ପୂର୍ବତନ କାଉନସିଲ
ଅନ୍ୟପଟେ ସ୍କୁଲରେ ତାଲା ପଡିବା ଯୋଗୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ । ପାଖାପାଖି 2 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ସେମାନେ ସ୍କୁଲ ବାହାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଦୀର୍ଘ 2 ଘଣ୍ଟା ପରେ ସ୍କୁଲରେ ଫୁଲବାଣୀ ବ୍ଲକର ଏବିଡିଓ ସନ୍ତୋଷ କୁମାର ଦିଗାଲ ପହଞ୍ଚିଥିଲେ । ଦୁଇ ଠିକାଦାରଙ୍କ ବକେୟା ନିର୍ମାଣ ଟଙ୍କା 10 ଦିନ ମଧ୍ୟରେ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍କୁଲର ତାଲା ଖୋଲିଥିଲେ ଦୁଇ ଠିକାଦାର ।
ତେବେ 5T ବ୍ୟବସ୍ଥାରେ ଏଭଳି ଅବ୍ୟବସ୍ଥା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ବିରୋଧିଙ୍କୁ ସମାଲୋଚନାର ମୁଦ୍ଦା ଯୋଗାଇଛି କନ୍ଧମାଳର ଫାଇଭ ଟି ସ୍କୁଲର ଏହି ବିକଳ ଚିତ୍ର ।
କନ୍ଧମାଳ, ଇଟିଭି ଭାରତ