ଫୁଲବାଣୀ: ତଳେ ବୋହୁଛି ଖରସ୍ରୋତା କାଳିପେନୁ ନଦୀ । ଉପରେ ନିଜ ଜୀବନକୁ ବାଜିରେ ଲଗାଇ ବିଜୁଳି ତାର ଉପରେ ଚାଲି ଚାଲି ଯାଉଛନ୍ତି ଆଦିବାସୀ । ଏକା ନୁହେଁ, ବରଂ ଛୁଆ ପିଲାଠୁ ଆରମ୍ଭ କରି ରୋଗୀ ମଧ୍ୟ ଏହିପରି ଭାବେ ଅତି ବିପଦ ସଙ୍କୁଳ ଅବସ୍ଥାରେ ବିଜୁଳି ତାରକୁ ପୋଲ ଭାବେ ବ୍ୟବହାର କରୁଛନ୍ତି । ନଦୀ ଉପରେ ପୋଲ ପାଇଁ ବ୍ୟବହାର ହେଉଥିବା ଏହି ବିଜୁଳି ତାରରେ ଚାଲିବା ସମୟରେ ଯଦି ଟିକେ ବି ନଜର ହଟେ ତ ଖରସ୍ରୋତରେ ଭାସିଯିବ ଜୀବନ । ଏ ଛାତିଥରା ଦୃଶ୍ୟ ହେଉଛି ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା କନ୍ଧମାଳର କ.ନୂଆଗାଁ ବ୍ଲକର ଗୁଞ୍ଜିବାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିରିନ୍ଦାପଡା ଗ୍ରାମର ଦୃଶ୍ୟ । ଆଉ ଦିନେ କି ଦୁଇ ଦିନ ନୁହେଁ, ଏହା ହେଉଛି ପ୍ରାୟ 30 ବର୍ଷରୁ ଉର୍ଦ୍ଧ୍ବ ସମୟର ଦୃଶ୍ୟ । ନଦୀର ଉଭୟ ପାର୍ଶ୍ବର ଗଛରେ 4ଟି ବିଜୁଳି ତାର ବାନ୍ଧି ନଦୀପାର କରୁଛନ୍ତି ଗ୍ରାମବାସୀ ।
ଗୋଟିଏ ପଟେ ଗ୍ରାମବାସୀ ଏହି ବିଜୁଳି ତାର ପୋଲ ଦେଇ ଜୀବନଯାତ୍ରା ଜାରି ରଖିଥିବା ବେଳେ ଅନ୍ୟପଟେ ଗ୍ରାମବାସୀଙ୍କ ଏହି ଅସୁବିଧାକୁ ଉପହାସ କରିଛି ପ୍ରଶାସନ । ଲୋକଙ୍କ ଦାବିକୁ ବେଖାତିର କରି ପ୍ରଶାସନ କହିଛି କି ସେମାନଙ୍କ ଯାତାୟତ ପାଇଁ ରହିଛି ବିକଳ୍ପ ବ୍ୟବସ୍ଥା । ଯେଉଁଥିପାଇଁ ସେମାନଙ୍କୁ ଅଧିକ 6 କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିବ । ଏହି ରାସ୍ତା ନିରାପଦ ହେଲେ ସୁଦ୍ଧା ନିଜ ଜିଦିରେ ଅଟଳ ଗ୍ରାମବାସୀ । ସମୟ ବଞ୍ଚାଇବାକୁ ଯାଇ ନିଜ ବ୍ୟବସ୍ଥା ନିଜେ କରିଛନ୍ତି ଗ୍ରାମବାସୀ । ଏହାର ଭୟାବହତା ଓ ଗ୍ରାମବାସୀଙ୍କ ସୁରକ୍ଷାକୁ ଦେଖି ତାର ପୋଲକୁ ବାରମ୍ବାର କାଢି ଲୋକଙ୍କୁ ଅତିଷ୍ଠ କଲେଣି ସ୍ଥାନୀୟ ବିଡିଓ । ସେପଟେ ବ୍ୟୟବହୁଳ ସରକାରୀ ଯୋଜନା ଆଦିବାସୀ ଜନତାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିବା ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ସେମାନଙ୍କ କଥାକୁ ସରକାର ଓ ପ୍ରଶାସନ ଅଣଦେଖା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଗୋଟିଏ ପଟେ ସରକାର ସମୟ ଯାଉ ପଛେ ଜୀବନ ବଞ୍ଚୁ ନୀତି ଆପଣାଉଥିବା ବେଳେ ଆଦିବାସୀଙ୍କ କହିବା କଥା କି ନାକକୁ ସିଧା ନଧରି ମୁଣ୍ଡ ପଛ ପଟୁ ହାତ କାହିଁକି ନେବୁ । ଏମିତିରେ ପୋଲ ସମସ୍ୟାର ସମାଧାନ ସହ ଆଦିବାସୀଙ୍କ ଅଭିଯୋଗକୁ ପ୍ରଶାସନ କେବେ କର୍ଣ୍ଣପାତ କରୁଛି ତାହାକୁ ହିଁ ଅପେକ୍ଷା ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ