କନ୍ଧମାଳ: ଜିଲ୍ଲାରେ ଲାଗି ରହିଛି ପାନୀୟ ଜଳ ସମସ୍ୟା । ଯେତେ ପ୍ରକଳ୍ପ ହେଉଥିଲେ ବି ଲୋକେ ପାନୀୟ ଜଳ ପାଉନାହାନ୍ତି । କାରଣ ସାଜିଛି ବିଭାଗୀୟ ଅବହେଳା । ଯୋଜନା ହେଉଛି, ପ୍ରକଳ୍ପ ହେଉଛି, ହେଲେ ତାହା କାର୍ଯ୍ୟକାରୀ ହେଉନାହିଁ । ଅଳ୍ପ କିଛି ଦିନ ଚାଲିଲା ପରେ ତାହା ଅଚଳ ହୋଇଯାଉଛି । ସରକାର ଯେଉଁ ଲକ୍ଷ୍ୟ ନେଇ ପ୍ରକଳ୍ପ କରୁଛନ୍ତି ତାହା ସଫଳ ହୋଇପାରୁନାହିଁ । ଫୁଲବାଣୀ ବ୍ଲକରୁ ୫ କି.ମି ଦୂରରେ ରହିଛି ଆଲାମୀ ପଞ୍ଚାୟତର ଦୁଇ ଆଦିବାସୀ ଏବଂ ହରିଜନ ସାହି ( Water problem in alami panchayat) ।
ଏହି ପଞ୍ଚାୟତ ଦୁର୍ଗମ ଅଞ୍ଚଳ ବୋଲି କୁହାଯାଇ ପାରିବ ନାହିଁ । କାରଣ ଏହା ବ୍ଲକ ହେଉକ୍ୱାର୍ଟର ଠାରୁ ବହୁ କମ୍ ଦୂରରେ । ପ୍ରାୟ ୨ ବର୍ଷ ପୂର୍ବେ ହୋଇଥିବା ସୋଲାର ପମ୍ପ ପାନୀୟ ଜଳ ପ୍ରକଳ୍ପ (Solar Pump water project) ଅଚଳ ହୋଇଗଲା । ପ୍ରକଳ୍ପ ହେବାର ୬ ମାସ ଚାଲିଲା ପରେ ତାହା ଅକାମୀ ହୋଇଗଲା । ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲୋକେ ଗାଁ ଠାରୁ ୨/୩ କିଲୋମିଟର ଦୂର ବିଲରେ ଥିବା ଏକ କୂଅ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।
ସେହିପରି ଗ୍ରାମ ପାଖରେ ଥିବା ଦୁଇଟି ନଳକୂପ ଅଚଳ ହୋଇପଡିଥିବା ବେଳେ କିଛି ଦିନ ହେବ ତାହା ମରାମତି ହୋଇଛି । ଗୋଟିଏରୁ ପାଣି ବାହାରୁଥିବା ବେଳେ ଅନ୍ୟଟିରୁ ଗୋଳିଆ ପାଣି ବାହାରୁଛି । ନିର୍ବାଚନ ବେଳେ ନେତା ମନ୍ତ୍ରୀ ଗ୍ରାମକୁ ଆସି ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇ ଆସୁଛନ୍ତି । ହେଲେ ତାହା ଫଳବତୀ ହେଉନାହିଁ । ଆଗକୁ ପଞ୍ଚାୟତ ନିର୍ବାଚନ । ଏହି ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରାଯିବ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ।
ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଦ୍ୱାରା ଏହି ପ୍ରକଳ୍ପକୁ ଆଦିବାସୀ ସୋଲାର ପ୍ରାଇଭେଟ ଲିମିଟେଡ ୩ ଲକ୍ଷ ୩୦ ହଜାର ୪୯୫ ଟଙ୍କାରେ କାମ କରିଥିଲା । ୮ରୁ ୧୦ ହଜାର ଲିଟର ପ୍ରତି ଦିନ ପାଣି ଯୋଗାଣ ଏହି ପ୍ରକଳ୍ପର କ୍ଷମତା ରହିଥିଲା । ହେଲେ କାମ ସରିବା ପରେ ଲୋକେ ପାଣି ପାଇଲେ ନାହିଁ । ଏହି ଆଲାମୀ ପଞ୍ଚାୟତର ପାଖାପାଖି ୩୦୦ ମିଶାଇ ୭୦୦ ଲୋକେ ବସବାସ କରୁଛନ୍ତି । ପ୍ରକଳ୍ପ କାମ ନକରିବାରୁ ଲୋକେ ବାଧ୍ୟ ହୋଇ ବିଲରେ ଥିବା କୂଅ ପାଣିକୁ ଭରସା କରୁଛନ୍ତି ।
ଗ୍ରାମରେ ଯେଉଁ ଦୁଇଟି ନଳକୂପ ରହିଛି ତାହା ଯଦିଓ କାର୍ଯ୍ୟକ୍ଷମ ହୋଇଛି, ସେଥିରୁ ଗୋଟିଏରୁ ଦୂଷିତ ପାଣି ବାହାରୁଛି । ବାକି ଥିବା ଗୋଟିଏ ନଳକୂପରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲମ୍ବାଧାଡି ପାଣି ପାଇଁ ଲାଗି ରହୁଛି । ବେଳେବେଳେ ସାହି ଭିତରେ ଏଥିପାଇଁ ଗଣ୍ଡଗୋଳ ମଧ୍ୟ ହେଉଛି । ଜରୁରୀ ସମୟରେ ପାଣି ବି ମିଳୁନି । ଅର୍ଥାତ ନଳକୂପରୁ ପାଣି ବାହାରୁ ନାହିଁ । ଏନେଇ ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର କରଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେ ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ